ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ୫ଶହରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତିି

 ପୁରୀ: ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ସୌନ୍ଦର୍ୟ୍ୟମୟ କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଆଗେଇ ଚାଲିଛି କାର୍ୟ୍ୟ । ଏପଟେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ପୁରୀରେ ୫ଶହରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତିି ନିଆଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ କଡା ସୁରକ୍ଷା ବ୍ୟବସ୍ଥା । ପୁରୀକୁ ବ୍ଲାନ୍କେଟ୍ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ସିସିଟିଭି କ୍ୟାମେରା ଲାଗିବ । ସମଙ୍ଗ ବସଷ୍ଟାଣ୍ଡ, ମାଳତୀପାଟପୁର ବସଷ୍ଟାଣ୍ଡ, ଶ୍ରୀଦାଣ୍ଡ, ବଡ଼ଦାଣ୍ଡ ସମେତ ବାଟମଙ୍ଗଳା, ହେଲିପ୍ୟାଡ୍, ବିକେଆର୍ଆଇଟି ଛକ ଭଳି ଅନେକ ସ୍ଥାନରେ କ୍ୟାମେରା ଲଗାଯାଉଥିବା କହିଛନ୍ତି ସଂପୃକ୍ତ ଠିକାସଂସ୍ଥାର ଅଧିକାରୀ ।ସିସିଟିଭି କ୍ୟାମେରାଗୁଡିକର ମନିଟରିଂ ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଆଉ ଏହାର ଦାୟିତ୍ୱରେ ରହିବେ ଜଣେ ଆଇପିଏସ୍ ଅଧିକାରୀ । ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସିସିଟିଭି ସହାୟକ ହେବ ବୋଲି କୁହାଯାଉଛି । ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ ଏହାର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ସବୁବେଳେ ସଜାଗ ରହିବ ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ କରିବା ପାଇଁ ଜୋରଦାର ଆୟୋଜନ କରାଯାଉଥିବା ବେଳେ ବେଦପାଠ, ସଂକୀର୍ତନ, ହୋମଯଜ୍ଞରେ ପ୍ରକମ୍ପିତ ହେବ ଐତିହ୍ୟ କରିଡର । ଦେଶବିଦେଶର ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶାନ୍ତି ଶୃଙ୍ଖଳାର ସହ ଏଭଳି ବିଶାଳ ଆୟୋଜନ କରିବା ପୁଲିସ ଓ ପ୍ରଶାସନ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

Comments (0)
Add Comment