ପୁରୀ: ପୌରପାଳିକା ଦ୍ୱାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ କରିଥିଲେ ଓ ଏହି ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ପାଇଥିଲେ । ଏ ସଂପର୍କରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି ଏ ସଂପର୍କରେଏକ ବିସ୍ତୃତ ଆଲୋଚନା କରାଯାଇ ନୀତିଗତ ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ ୫-ଟି ସଚିବଙ୍କ ଗସ୍ତ ସମୟରେ ଜନସାଧାରଣ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକୁ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆବଶ୍ୟକ ସର୍ଭେ କାମକୁ ୨୦ ଦିନ ମଧ୍ୟରେ ଶେଷ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅତିରିକ୍ତ ରାଜସ୍ୱ ଅଧିକାରୀ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦିଆଯଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।