ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାରେ ହଠାତ୍ ଜନପ୍ରିୟ ହୋଇଥିବା ‘ଭର୍ଚ୍ୟୁଆଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ପ୍ରେମିକା’ ବା ‘ଏ. ଆଇ. ଗାର୍ଲଫ୍ରେଣ୍ଡ୍’ ପୁରୁଷ ନିଃସଙ୍ଗତାକୁ ଆହୁରି ବିଗାଡ଼ି ଦେଉଛି ଏବଂ ବିଶେଷଜ୍ଞମାନେ ଏହାକୁ ଯୁବପିଢ଼ିର ‘ନିରବ ମହାମାରୀ’ ଆଖ୍ୟା ଦେଲେଣି ବୋଲି ‘ବିଜ୍ନେସ୍ ଇନ୍ସାଇଡର୍’ ରିପୋର୍ଟ କରିଛି। ‘ଅଲିନ୍ ବିଜ୍ନେସ୍ ସ୍କୁଲ୍’ର ‘ପ୍ରାକ୍ଟିସ୍ ଅଫ୍ ଡାଟା ସାଇନ୍ସେସ୍’ର ପ୍ରଫେସର୍ ଲିବର୍ଟି ଭିଟର୍ଟ କହିଛନ୍ତି, ‘ଏ. ଆଇ. ଗାର୍ଲଫ୍ରେଣ୍ଡ୍’ମାନେ ପୁରୁଷ ନିଃଷଙ୍ଗତାକୁ ଅଧିକ ବିଗାଡ଼ି ଦେଉଛି।
ପ୍ରଫେସର୍ ଭିଟର୍ଟ ତାଙ୍କ ଶ୍ରେଣୀର ୧୮ ବର୍ଷିୟ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ କି, ସେମାନେ କେଉଁ ସାମାଜିକ ଗଣମାଧ୍ୟମ ‘ଆପ୍’ ବ୍ୟବହାର କରୁଛନ୍ତି। ତାଙ୍କର ଜଣେ ‘ଏ. ଆଇ. ଗାର୍ଲଫ୍ରେଣ୍ଡ୍’ ଅଛନ୍ତି ବୋଲି ଜଣେ ଛାତ୍ର କହିବାରୁ ପ୍ରଫେସର୍ ଅବାକ୍ ହୋଇଗଲେ। ‘ବିଜ୍ନେସ୍ ଇନ୍ସାଇଡର୍’କୁ ଲିବର୍ଟି ଭିଟର୍ଟ ନାମ୍ନୀ ସେ ପ୍ରଫେସର୍ କହିଛନ୍ତି, ସେ (ଛାତ୍ର) ଆଗେଇ ଆସି ଏମିତି ଖୋଲାଖୋଲି ଭାବେ ଏ କଥା କହିବା ଶୁଣି ମୁଁ ଆଚମ୍ବିତ ହୋଇଗଲି। ମୋର ମନେ ହେଉଥିଲା କ୍ଷଣିକ ପାଇଁ ହୁଏ ତ ‘ଏ. ଆଇ. ଗାର୍ଲଫ୍ରେଣ୍ଡ୍’ କଥା ଚାରିଆଡ଼େ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ‘ଭର୍ଚ୍ୟୁଆଲ୍ ଗାର୍ଲଫ୍ରେଣ୍ଡ୍’ମାନେ ଲୋକମାନଙ୍କ ସହିତ କଥା କହନ୍ତି, ପ୍ରେମ କରନ୍ତି ଓ ବିଶ୍ବସ୍ତ ସମ୍ପର୍କ ସ୍ଥାପନ କରନ୍ତି। ‘ରେପ୍ଲିକା’ ନାମରେ ଏକ ଜନପ୍ରିୟ ‘ଆପ୍’ର ୧୦ ନିୟୁତରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ‘କୋଭିଡ୍’ ମହାମାରୀ ସମୟରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୩୫% ବୃଦ୍ଧି ପାଇଥିଲା। ‘ରେପ୍ଲିକା’ ରିପୋର୍ଟ କରିଛି ଯେ, ବ୍ୟବହାରକାରୀମାନେ ପ୍ରେମ କରିବା ସହିତ ‘ଏ. ଆଇ. ଗାର୍ଲଫ୍ରେଣ୍ଡ୍’ଙ୍କୁ ବିବାହ ମଧ୍ୟ କରୁଛନ୍ତି। ବାସ୍ତବ ଗାର୍ଲଫ୍ରେଣ୍ଡ୍ ଛାଡ଼ି ‘ଏ. ଆଇ. ଗାର୍ଲଫ୍ରେଣ୍ଡ୍’ଙ୍କ ସହିତ ସମ୍ପର୍କ ଗଢ଼ିଲେ ପୁରୁଷ ନିଃସଙ୍ଗତା କ୍ରମଶଃ ଉତ୍କଟ ହେବ ଓ ଆମେରିକାରେ ଜନ୍ମହାରକୁ ପ୍ରଭାବିତ କରିବ।