ପୂର୍ବତନ ସିଡ଼ିପିଓଙ୍କୁ ୪ ବର୍ଷ ଜେଲ

ବୌଦ୍ଧ: ଛତୁଆ ବିଲ କରିବା ପାଇଁ ଲାଞ୍ଚ ନେବାବେଳେ ଧରାପଡିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁର ମା ଭୈରବୀ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତ କରି ବିଭିନ୍ନ ପଞ୍ଚାୟତକୁ ଯୋଗାଉଥିଲେ। ୨୦୧୬ ମସିହା ନଭେମ୍ବର ଓ ଡିସେମ୍ବର ମାସର ଛତୁଆ ବିଲ ବାବଦରେ ସେମାନଙ୍କର ସିଡିପିଓ ଙ୍କ କାର୍ୟ୍ୟାଳୟରୁ ଟଙ୍କା ପାଇବାରଥିଲା। ତେବେ ଏହି ବିଲ କରିବା ପାଇଁ ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରା ଏସ ଏଚ ଜି ସମ୍ପାଦିକାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ସମ୍ପାଦିକା ଶୈଳବାଳା ଦାଶ ଏ ନେଇ ୨୦୧୭ ମସିହାରେ ଜାନୁଆରୀ ୧୧ ତାରିଖରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ୧୨ ତାରିଖ ଦିନ ସିଡିପିଓ ତାଙ୍କ କାର୍ୟ୍ୟାଳୟରେ ଏହି ଅର୍ଥ ଗ୍ରହଣ କରୁଥିବା ସମୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ତତ୍କାଳୀନ ବୌଦ୍ଧ ଭିଜିଲାନ୍ସ ଡିଏସପି ଦୋଳଗୋବିନ୍ଦ ପରିଡାଙ୍କ ନେତୃତ୍ୱରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୬/୨୦୧୭ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଇ ଥିଲା ।

ଏହି ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ୭ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ତଥ୍ୟ ପ୍ରମାଣ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। 

Comments (0)
Add Comment