ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ସ୍ୱଳ୍ପକାଳୀନ ବଜେଟ ଅଧିବେଶନ । ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ସହ ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଇତିହାସ ରଚିଛନ୍ତି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ଅନ୍ୟ ଦିବଂଗତ ନେତା ଓ ସହିଦଙ୍କ ଉଦ୍ଦେଶ୍ୟରେ ଗୃହର ପ୍ରଥମାର୍ଦ୍ଧ କାର୍ଯ୍ୟ ମୁଲତବୀ ରହିଛି । ଅପରପକ୍ଷରେ ଅର୍ଥମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ।
ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବାଚସ୍ପତି ନିର୍ବାଚନ ହୋଇଥିଲା । ଗତକାଲି ପ୍ରମିଳା ମଲ୍ଲିକ ଏକମାତ୍ର ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବାଚସ୍ପତି ନିର୍ବାଚନ ଓ ଦାୟିତ୍ୱ ଗ୍ରହଣ ପାଇଁ ଆଜି ସାଢେ଼ ୯ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ଗୃହ କାର୍ଯ୍ୟ ପରିଚାଳନା କରିଥିବାବେଳେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ଭାବେ ଚୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥନ କରିଥିଲେ । ବାଚସ୍ପତି ଭାବେ ଚୟନ ହେବା ପରେ ପ୍ରମିଳାଙ୍କୁ ବାଚସ୍ପତିଙ୍କ ଆସନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ପାଛୋଟି ନେଇଥିଲେ । ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ମଲ୍ଲିକ ଗୃହ କାର୍ଯ୍ୟ ଆରମ୍ଭ କରିବା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ଡାକିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ, ବାଚସ୍ପତି ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ୧୯୯୦ରୁ ସେ ବିଞ୍ଝାରପୁରରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ୬ଥର ବିଧାୟିକା ହେବା ସହ ମନ୍ତ୍ରୀ, ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଆସିଛନ୍ତି । ନିଜର ଅଭିଜ୍ଞତା ବଳରେ ସେ ଗୃହକୁ ସୂଚାରୂରୂପେ ପରିଚାଳନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଅଭିନନ୍ଦନ ଜଣାଇଥିଲେ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିନନ୍ଦନ ଜଣାଇବା ସହ ନିରପେକ୍ଷ ଭାବେ ଗୃହ ପରିଚାଳନା କରିବେ ବୋଲି ଆଶା ପ୍ରକାଶ କରିଥିଲେ । ପରେ ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଥିଲେଯେ, ପବିତ୍ର ଗୃହର ପଦ ମର୍ଯ୍ୟାଦା ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଗୃହ ପରିଚାଳନାରେ ସମସ୍ତେ ସହଯୋଗ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।