ବର୍ଷରେ ୨ଥର ହେବ ବୋର୍ଡ ପରୀକ୍ଷା

ଭୁବନେଶ୍ୱର: ନୂଆ ଜାତୀୟ ଶିକ୍ଷା ନୀତି ନିର୍ଦ୍ଧାରି ହୋଇଛି । ଏବେ ବର୍ଷରେ ଦୁଇ ଥର ବୋର୍ଡ ପରୀକ୍ଷା କରାଯିବ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ୨୦୨୪ରୁ ଏହାକୁ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାପ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଦୁଇଟି ବୋର୍ଡ ପରୀକ୍ଷା ଫଳ ମଧ୍ୟରୁ ଶ୍ରେଷ୍ଠକୁ ଫଳକୁ ବିଚାରକୁ ନିଆଯିବ । ଏଥିସହ ଏକାଦଶ ଓ ଦ୍ୱାଦଶରେ ପିଲା ଦୁଇଟି ଭାଷା ପଢ଼ିବେ । ଏହି ଦୁଇଟି ଭାଷାରୁ ଛାତ୍ରଛାତ୍ରୀ ଗୋଟିଏ ଭାରତୀୟ ଭାଷା ପଢ଼ିବା ବାଧ୍ୟତାମୂଳକ ହେବ । ପିଲାମାନେ ଏବେ କଳା, ବାଣିଜ୍ୟ, ବିଜ୍ଞାନରେ ସୀମିତ ନ ରହି ସେମାନଙ୍କ ପସନ୍ଦ ଅନୁଯାୟୀ ବିଷୟଗୁଡିକରେ ପାଠ ପଢ଼ିବେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବୁଧବାର ଦିନ କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ଦ୍ୱାରା ପ୍ରସ୍ତୁତ ଏକ ନୂତନ ଜାତୀୟ ପାଠ୍ୟକ୍ରମ (ଏନସିଏଫ୍‌) ଘୋଷଣା କରିଛନ୍ତି । କେ କସ୍ତୁରୀରଙ୍ଗନ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ପାଇଁ ଗଠିତ ପ୍ୟାନେଲର ଅଧ୍ୟକ୍ଷ ଥିଲେ । ଦୁଇଥର ବୋର୍ଡ ପରୀକ୍ଷା କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଚୟନ କରିବାର ସ୍ୱାଧୀନତା ଦେବା ଭଳି ବଡ ପରିବର୍ତ୍ତନ ଯୋଗୁଁ ପୁସ୍ତକଗୁଡ଼ିକ ମଧ୍ୟ ସଂଶୋଧିତ ହେବ ଏବଂ ପ୍ରଥମ ସେଟ୍‌ ୨୦୨୪-୨୫ ଶିକ୍ଷାବର୍ଷରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଅଧିନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ନିୟମ ପ୍ରଚଳିତ ହେବ । ସେହିଭଳି ଏନସିଏଫ୍‌ ସହିତ ସମାନ ହେବା ପାଇଁ ଆଇସିଏସ୍‌ଇ ଓ ଆଇଏସ୍‌ସି ପାଠ୍ୟକ୍ରମକୁ ନୂତନ ଭାବେ ପ୍ରସ୍ତୁତ କରାଯିବ ବୋଲି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା (ସିଆଇଏସ୍‌ସିଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଷଦର ସଚିବ ଗେରି ଆରାଥନ୍‌ ପ୍ରକାଶ କରିଛନ୍ତି । ପାଠ୍ୟକ୍ରମ, ସିଲାବସ୍‌ ଏବଂ ପାଠ୍ୟ ପୁସ୍ତକଗୁଡ଼ିକରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ଏବଂ ସିଲାବସ୍‌ ହ୍ରାସ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି ।

Comments (0)
Add Comment