ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୩ ଛାତ୍ରୀ ମୃତ

ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ବାଣିଗୋଛା ଥାନା ଶାଳଭଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟୁରିଷ୍ଟ ବସ୍‌ ଏବଂ ଟ୍ରକ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦଶପଲ୍ଲୀ ସହର ବାରପୁରୁକିଆରେ ଥିବା ଦେବିସ୍‌ ଟ୍ୟାଲେଣ୍ଟ ଟୁଟୋରିଆଲ୍‌ସରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପିଲା ହଷ୍ଟେଲରେ ରହି ପାଠ ପଢିଥାନ୍ତି । ଏହି ସେଣ୍ଟରର ୬୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟତ୍ରୀ ମିଶି ହରିଶଙ୍କର ବୁଲିବାକୁ ଯାଉଥିଲେ । ଶୁକ୍ରବାର ରାତିରେ ୧୦ଟାରେ ସମସ୍ତେ ଦଶପଲ୍ଲୀ ଛାଡିଥିଲେ । ମାତ୍ର ୧୫ କିମି ରାସ୍ତା ଯିବା ପରେ ହେଲେସାମ୍ନାପଟୁ ଆସୁଥିବା ଏକ ଆଇଚର ଟ୍ରକଟି ବସ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲେ । ଯାହାଫଳରେ ବସ୍‌କୁ କିଛି ବାଟ ଘୋଷାଡି ନେଇଥିଲେ ଟ୍ରକ । ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଅନ୍ୟ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଉଥିଲା । ନୟାଗଡ଼ ମେଡିକାଲରେ ଆଉ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ବାକି ଅନ୍ୟ ସମସ୍ତ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ତେବେ ମୃତକ ୩ ଛାତ୍ରୀ ହେଲେ ଟାକେରାର ଅମିତା ସାହୁ , ଟାଙ୍ଗିଆପଲ୍ଲିର ଚିନ୍ମୟୀ ପ୍ରିୟଦର୍ଶିନୀ ଏବଂ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳର ଲୋପାମୁଦ୍ରା ପ୍ରଧାନ ବୋଲି ଜଣାପଡିଛି । ଉଭୟ ବସ୍‌ ଏବଂ ଟ୍ରକର ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । 

Comments (0)
Add Comment