ଭୁବନେଶ୍ୱର: ଓଡିଶା ବିଧାନସଭାର ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ବିଜେଡି ବିଧାୟିକା ଏବଂ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପକ୍ଷରୁ ଏହାର ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଆସନ୍ତାକାଲି ସକାଳ ସାଢେ଼ ୯ଟାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ବିଧାନସଭାର ବାଚସ୍ପତି ପଦ ପୂରଣ ହେବାକୁ ଯାଉଛି । ଏଥିସହିତ ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି । ବିଜେଡିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି । ସେହିଭଳି ବିଜେଡି ସରକାରରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରମିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା ରଖିଥିବାରୁ ସେ କୃତଜ୍ଞ । ମହିଳା ବାଚସ୍ପତି ପ୍ରାର୍ଥୀ କରି ସେ ମହିଳାଙ୍କ ଦକ୍ଷତା ପ୍ରମାଣ କରିଛନ୍ତି । ନିରପେକ୍ଷ ଭାବେ ସବୁ ଦଳଙ୍କୁ ନେଇ ଗୃହ ଚଳାଇବାକୁ ଶ୍ରୀମତୀ ମଲ୍ଲିକ ପ୍ରକାଶ କରିଛନ୍ତି ।