ବାଦାମବାଡ଼ିର ଅନୁଗୁଳ ବସ୍‌ଷ୍ଟାଣ୍ଡରେ ନିର୍ମାଣ ହେବ ଅତ୍ୟାଧୁନିକ ବିଶ୍ବନାଥ ପଣ୍ଡିତ ପାଠାଗାର: ମୁଖ୍ୟମନ୍ତ୍ରୀ

କଟକ: ବାଦାମବାଡ଼ି ଅନୁଗୁଳ ବସ୍‌ଷ୍ଟାଣ୍ଡରେ ନିର୍ମାଣ ହେବ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଥିବା ବେଳେ ୩୦ କୋଟି ୫୮ ଲକ୍ଷ ୩୧ ହଜାର ୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି। କଟକ ସହର ଓ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ଏହା ଦ୍ବାର ବିଶେଷ ଭାବେ ଉପକୃତ ହେବେ। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ଆଶାୟୀମାନଙ୍କ ପାଇଁ ଉକ୍ତ ପାଠଗାର ବିଶେଷ ସହାୟକ ହେବ। ପାଠାଗାରର ନିର୍ମାଣ ଦାୟିତ୍ବ ପୌର ନିଗମକୁ ପ୍ରଦାନ କରାଯାଇଥିବା ବେଳେ ଆଗକୁ ଏହାର ଡିପିଆର୍‌ ପ୍ରସ୍ତୁତ କରାଯିବା ସହ ଖୁବ୍‌ଶୀଘ୍ର ଟେଣ୍ଡର୍‌ ପକ୍ରିୟା ଆରମ୍ଭ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏକ ସମୟରେ ୧୫ଶହରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ବସି ପଢିବାର ସୁଯୋଗ ପାଇପାରିବେ।

ସୂଚନାଯୋଗ୍ୟ, ୧୯୯୮ରୁ ପୌର ନିଗମ ଅଧୀନରେ ଖାନ୍‌ନଗରଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଶ୍ରମିକ ନେତା ବିଶ୍ବନାଥ ପଣ୍ଡିତଙ୍କ ନାମରେ ବିଶ୍ବନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର କାର୍ଯ୍ୟକ୍ଷମ ଥିଲ। ମାତ୍ର କଟକ ନେତାଜୀ ବସ୍‌ ଟର୍ମିନାଲ୍‌ ନିର୍ମାଣ ପାଇଁ ପାଠାଗାରକୁ ୨୦୨୧ ମାର୍ଚ୍ଚରେ ଉଚ୍ଛେଦ କରଯାଇ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ, ସେହି ସମୟରୁ ଉକ୍ତ ପାଠାଗର ଉପରେ ନିର୍ଭର କରୁଥିବା ଯୁବକ-ଯୁବତୀ ଅଧିକ ପଢ଼ିବା ଓ ଗବେଷଣା କରିବାର ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟ‌ରେ ସହରବାସୀଙ୍କ ପକ୍ଷରୁ ଏକ ନୂତନ ପାଠାଗାର ନିର୍ମାଣ ପାଇଁ ‌ଦାବି ହୋଇ ଆସୁଥିଲା। ଏହାକୁ ହୃଦ୍‌ବୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଦାମବାଡ଼ିର ଅନୁଗୁଳ ବସଷ୍ଟାଣ୍ଡରେ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ଅତ୍ୟାଧୁନିକ ପାଠାଗାର ଓ ଗବେଷଣା କେନ୍ଦ୍ର କରିବାକୁ ଆଜି ଘୋଷଣା କରିଛନ୍ତି। ଏହା ସହ ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଏହି ପାଠାଗାର ଦ୍ବାରା ବିଭିନ୍ନ ପ୍ରଶାସନିକ ପରୀକ୍ଷାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ, ରେଲୱେ ଭଳି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାର ସୁଯୋଗ ପାଇପାରିବେ। ପାଠାଗାର ନିର୍ମାଣ ଘୋଷଣାକୁ ନେଇ ସହରର ଯୁବପିଢ଼ି, ମେୟର୍‌ ଓ ନିଗମ କାଉନ୍‌ସିଲ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Comments (0)
Add Comment