ଭୁବନେଶ୍ବର: ବିଏମ୍ସିରେ ତିନି ଜୋନ୍ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି। ତାଙ୍କ ଜାଗାରେ ନୂଆ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତି ଜୋନ୍ରେ ଦୁଇ ଜଣ ଡେପୁଟି କମିସନରଙ୍କୁ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଜୋନାଲ୍ ଡେପୁଟି କମିସନର(ଜେଡ୍ଡିସି) ଜୋନ୍ର ମୁଖ୍ୟ ରହୁଥିଲେ। ତାଙ୍କ ଅଧୀନରେ ଅନ୍ୟ କର୍ମଚାରୀମାନେ ରହୁଥିଲେ। କିନ୍ତୁ ପ୍ରଥମ ଥର ପାଇଁ ଗୋଟିଏ ପାହ୍ୟାର ଦୁଇ ଜଣ ଅଫିସରଙ୍କୁ ଗୋଟିଏ ଜୋନ୍ରେ ରଖାଯାଇଛି। ରାଜଧାନୀର କଳେବର ବଢ଼ୁଥିବାରୁ ଜନସାଧାରଣଙ୍କୁ ସହଜରେ ସେବା ଯୋଗାଇ ଦେବାପାଇଁ ବିଏମ୍ସିକୁ ୬ ଜୋନ୍ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସରକାର ବିଏମ୍ସିର ଏହି ପ୍ରସ୍ତାବକୁ ମୋହର ମାରିବା ସହ ନିକଟରେ ୬ ଜୋନ୍ ପାଇଁ ଆବଶ୍ୟକ ପଦବୀକୁ ମଞ୍ଜୁର କରିଛନ୍ତି। କିନ୍ତୁ ବିଜ୍ଞପ୍ତି ମୁତାବକ ଶତପ୍ରତିଶତ ଅଫିସର ବା କର୍ମଚାରୀ ଆସିନାହାନ୍ତି। ସେଥିପାଇଁ ଏହି ଡେପୁଟି କମିସନର ଓ ସହକାରୀ କମିସନରଙ୍କୁ ତିନି ଜୋନ୍ରେ ଅବସ୍ଥାପିତ କରାଯାଇଛି। ଶତ ପ୍ରତିଶତ କର୍ମଚାରୀ ଉପଲବ୍ଧ ହେଲେ ବିଧିବଦ୍ଧ ଭାବରେ ୬ ଜୋନ୍ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ତା’ ଛଡ଼ା ପ୍ରତ୍ୟେକ ଜୋନ୍କୁ ଦୁଇଭାଗ କରାଯିବ। ଗୋଟିଏ ଭାଗରେ କେଉଁ କେଉଁ ଅଞ୍ଚଳ ରହିବ ସେ ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି। ସେ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ୬ ଜୋନ୍ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି।