ଭୁବନେଶ୍ୱର: ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କର ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧର ସ୍ୱର ଶାଣିତ ହେବାରେ ଲାଗିଛି । ବିଜେଡି ଦଳର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳରେ କୌଣସି ଦଳୀୟ ପ୍ଲାଟ୍ଫର୍ମ ନାହିଁ ବୋଲି ସର୍ବସାଧାରଣରେ ପ୍ରକାଶ କଲା ପରେ ଏବେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ବିଜେଡିକୁ ଅତି ଶାଣିତ ଶବ୍ଦରେ ଆକ୍ରମଣ କରିଛନ୍ତି । ଜୟ ନାରାୟୟଣ କହିଛନ୍ତି ବିଜେଡି ବିଧାୟକମାନଙ୍କ ନିକଟରେ ସ୍ୱାଭିମାନ ବୋଲି କିଛି ନାହିଁ । ସେହି ବିଧାୟକମାନେ ଘୁଷୁରି ଠାରୁ ବି ହୀନ । ସେମାନଙ୍କର ଯଦି ସାମାନ୍ୟ ଆତ୍ମସମ୍ମାନ ଥାଆନ୍ତ ତେବେ ସେମାନେ ପାଣ୍ଡିଆନଙ୍କ ମିଟିଂ ଆୟୋଜନ କରନ୍ତେନି, ପାଣ୍ଡିଆନଙ୍କୁ ଫୁଲ ମାଳ ଦିଅନ୍ତେନି, ଗୋଡ ଛୁଅନ୍ତେନି । ଯେଉଁମାନେ ମଣିଷ ହିସାବରେ ଗଣତି ହେଉନାହାନ୍ତି ସମାନେ କ’ଣ କାହାକୁ ପ୍ରତିବାଦ କରିବେ । ବିଜେଡି ନେତାମାନେ ଜଣେ ସରକାରୀ କର୍ମଚାରୀ ପାଖରେ ନିଜ ମୁଣ୍ଡ ବିକ୍ରି କରିଦେଇଛନ୍ତି, ସବୁ ପ୍ରକାରର ସ୍ୱାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଗୋଟେ ଅଫିସର ପାଖରେ ସଂପୂର୍ଣ୍ଣ ଭାବରେ ଶରଣ ପଶିଯାଇଛନ୍ତି । ଏଥିରୁ ଜଣାପଡୁଛି ବିଜେଡିରେ ଥିବା ଲୋକଙ୍କର ରକ୍ତ ମାଂସ ନାହିଁ । ସେମାନଙ୍କର ସ୍ୱାଭିମାନ କି ଆତ୍ମସମ୍ମାନ ନାହିଁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ସେଗୁଡିକ ଯୁକ୍ତିଯୁକ୍ତ । ଚନ୍ଦ୍ରାୟନ ପାଇଁ ଯେତିକି ଖର୍ଚ୍ଚ ହୋଇନି ପାଣ୍ଡିଆନଙ୍କ ଗସ୍ତରେ ତାହାଠାରୁ ଅଧିକ ଖର୍ଚ୍ଚ ହୋଇଛି ବୋଲି ସେ ଯେଉଁ ଉଲ୍ଲେଖ କରୁଛନ୍ତି ତାହା ଚିନ୍ତାର ବିଷୟ । ଏହାର ଜବାବ୍ ବିଜେଡି ନେତାମାନେ ଦିଅନ୍ତୁ । ଏଇଟା ତ କେବଳ ସରକାରୀ ସ୍ତରରେ । ଏହାବାଦ୍ ପରୋକ୍ଷ ଭାବରେ ଯେଉଁ ଟଙ୍କା ଲୋକଙ୍କୁ ଲାଞ୍ଚ ଆକାରରେ ଦେଉଛନ୍ତି ତା’ର ଅନୁସନ୍ଧାନ ହେବା କଥା । ପାଣ୍ଡିଆନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି । ୫-ଟି ସଚିବ କି ବିଜେଡି ନେତାଙ୍କୁ କିଛି କହିଲେ ସେମାନେ କହୁଛନ୍ତି ପାଗଳ, ବ୍ଲାକମେଲର । ଏଥର ମୋତେ ପାଗଳ କହିଲେ ମୁଁ ମାନହାନୀ ମକଦ୍ଦମା କରିବି । ଏହାସହ ମୁଁ ସେମାନଙ୍କ ନେତାଙ୍କୁ ଡ୍ରଗିଷ୍ଟ କହିବି । ବିଜେଡି ନେତା ଦିଲ୍ଲୀରେ ଡ୍ରଗ୍ସ ଖାଇ ଟ୍ୟାକ୍ସିରେ ବୁଲିବାର ପ୍ରମାଣ ମୋ ପାଖରେ ଅଛି । ଆଗକୁ ତାହାକୁ ଦେଖାଇବି ବୋଲି ଶ୍ରୀ ମିଶ୍ର କହିଛନ୍ତି ।