ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି। ବିଜେପି ଓ କଂଗ୍ରେସଙ୍କ ପାଖରେ ସରକାରଙ୍କ ବିରୋଧରେ ଗଦା ଗଦା ପ୍ରସଙ୍ଗ ଥିଲା ବେଳେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ଦଳ ବି ପ୍ରସ୍ତୁତ ଅଛି। କଂଗ୍ରେସ ବିଧାୟକ ଦଳ ବୈଠକ ଶୁକ୍ରବାର ଅପରାହ୍ନରେ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ସବୁ ବିଧାୟକ ଉପସ୍ଥିତ ଥିଲେ। ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ଓଡ଼ିଶାରେ ଗଣତନ୍ତ୍ର ନାହିଁ, ଏକଛତ୍ରବାଦ ଚାଲିଛି। ଏବେ ଗୁମାସ୍ତା ଶାସନ ଚାଲିଛି। ସରକାରଙ୍କ ଦୋଷଦୁର୍ବଳତା ବାହାର କଲେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି। କଂଗ୍ରେସ ଏହି ପ୍ରସଙ୍ଗକୁ ଗୃହରେ ଉଠାଇବ। ଏହା ବାଦ୍ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟା, କୃଷକଙ୍କ ସମସ୍ୟା ପ୍ରସଙ୍ଗ ମଧ୍ୟରେ ଗୃହରେ ଉଠିବ। ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି ଓ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାରଙ୍କୁ ବାଧ୍ୟ କରାଯିବ। ଅଧିବେଶନର ଅବଧି ସ୍ବଳ୍ପ ହୋଇଥିଲେ ବି ତାହା ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।