ନୂଆଦିଲ୍ଲୀ: ଅନଲାଇନରେ ପ୍ରତିଦିନ ନୂଆ ନୂଆ ଭିଡିଓ ଭାଇରାଲ୍ ହୋଇଥଏ। ବିମାନ ଭିତରର ଅନେକ ଭିଡିଓ ବି ଆପଣ ଦେଖିଥିବେ। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ କ୍ୟାପ୍ଟେନ୍କୁ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଛି। ଜଣିବାକୁ ମିଳିଛି ଯେ ବିମାନ ବିଳମ୍ବ ହେବ ବୋଲି ଘୋଷଣା କରୁଥିବା ହେତୁ ସେ ରାଗରେ ବିମାନର କ୍ୟାପଟେନଙ୍କୁ ପିଟିଛନ୍ତି।
ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇଥିବା ଏହି ଭିଡିଓରେ ‘ଏକ୍ସ’ ବ୍ୟବହାରକାରୀ ଏକାଧିକ ପ୍ରତିକ୍ରିୟା ଦେଇଛନ୍ତି। ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଓ ବିଳମ୍ବ କରୁଥିବା କଥା ଅନ୍ୟ ଯାତ୍ରୀମାନେ ବି ଅଧିକାଂଶ ସମୟରେ ଅଭିଯୋଗ ଆଣିଛନ୍ତି।
ପୁଲିସ୍ରେ ଏହି ମାମଲାରେ ଅଭିଯୋଗ ହେବା ପରେ ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଛି। ଭିଡିଓରେ କ୍ୟାପ୍ଟେନ୍ ବିମାନଟି ସାମାନ୍ୟ ବିଳମ୍ବରେ ଯାତ୍ରା କରିବ ବୋଲି ଘୋଷଣା କରୁଥିବା ଦେଖିବାକୁ ମିଳିଛି।
ତା’ପରେ ହଳଦିଆ ରଂଗର ଗଞ୍ଜି ପିନ୍ଧିଥିବା ଜଣେ ଯାତ୍ରୀ ହଠାତ୍ କ୍ୟାପ୍ଟେନ୍ଙ୍କ ପାଖକୁ ଦୌଡ଼ିଯାଇ ମୁହଁକୁ ଚାପୁଡ଼ା ମାରିଥିଲେ। ସେତିକିବେଳେ କ୍ୟାପ୍ଟେନ୍ଙ୍କ ପାଖରେ ଠିଆ ହୋଇଥିବା ଜଣେ ବିମାନ କର୍ମଚାରୀ ତୁରନ୍ତ ତାଙ୍କୁ ଅଟାକାଇଥିଲେ। ସେ ସେହି ପରିସ୍ଥିତିର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଯାତ୍ରୀ ଜଣଙ୍କୁ ପରେ ଅନ୍ୟ ଯାତ୍ରୀମାନେ ମିଶି ଭିଡ଼ି ଭିଡ଼ି ବାହାରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି।