ବିହାର ରେଳ ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ୧୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି

ପାଟନା: ବିହାରର ବକ୍ସର ଜିଲାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୧୦ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଥିବାବେଳେ ବିହାର ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି । ରେଳବାଇ ପକ୍ଷରୁ ମଧ୍ୟ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ବୁଧବାର ରାତିରେ ବିହାର ବକ୍ସର ଜିଲା ରଘୁନାଥପୁର ଷ୍ଟେସନ ନିକଟରେ ଥିବା ୧୨୫୦୬ ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାପରେ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଥିଲା । ବୁଧବାର ରାତି ପ୍ରାୟ ୯ଟା ୩୦ ସମୟରେ ଏହି ଟ୍ରେନର ୨୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ଆଠଟି ବଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଆଠଟି ବଗି ମଧ୍ୟରୁ ଦୁଇଟି ପରସ୍ପର ସହ ଧକ୍କା ହୋଇ ଲାଇନଚ୍ୟୁତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ପ୍ରାୟ ୭୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Comments (0)
Add Comment