ବଟି ନେଇ ଗିରଫ ହେଲେ ସାମ୍ବାଦିକତା ନାଁରେ ଦଲାଲୀ କରୁଥିବା ୬ ନକଲି ସାମ୍ବାଦିକ । ରାଜଧାନୀରେ ଏକ ଘିଅ କମ୍ପାନୀଠାରୁ ବଟି ମାଗି ଏକ ୱେବ ଚ୍ୟାନେଲର ୬ ଜଣ ନକଲି ସାମ୍ୱାଦିକ ଗିରଫ ହୋଇଛନ୍ତି । କମ୍ପାନୀର ମାଲିକଙ୍କୁ ଧମକାଇ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ତେବେ ୧ ଲକ୍ଷ ୩୦ ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ଓ ୩୪ ହଜାର ଟଙ୍କା ନଗଦ ଆକାରରେ ସାମ୍ବାଦିକ କହି କମ୍ପାନୀଠାରୁ ଆଣିଛନ୍ତି । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ତଦନ୍ତ କରି ଏହି ଦଲାଲ ମାନଙ୍କୁ ଗିରଫ କରିଥିଲା ପୋଲିସ୍ । ଅପରାଧର ଦୋକାନ ଖୋଲିଥିବା ଏହି ନକଲି ସାମ୍ବାଦିକଙ୍କ କାର୍ୟ୍ୟାଳୟ ଉପରେ ମଧ୍ୟ ପୁଲିସ୍ ଚଢ଼ାଉ କରିଛି । ଆଉ ଯେଉଁ ଆଇ-କାର୍ଡ ଏବଂ ବୁମ୍ ଦେଖାଇ ଏବେ ଟଙ୍କା ଶୋଷଣର ବାଟ ବାହାର କରିଥିଲେ, ସେଇ ବାଟକୁ ବନ୍ଦ କରିଦେଇଛି ପୁଲିସ ।
ଭୁବନେଶ୍ୱର ଓ କଟକରେ ଯେଉଁ ବି ସ୍ଥାନରେ ବଟି ଆଦାୟ ନେଇ ଖବର ମିଳୁଛି, କମିଶନରେଟ୍ ପୋଲିସ ଘଟଣାକୁ ପ୍ରାଥମିକତା ଦେଇ କାର୍ୟ୍ୟାନୁଷ୍ଠାନ ନେଉଛି । ପୋଲିସ ସୂଚନା ଅନୁସାରେ , ଧରା ପଡିଥିବା ଅଭିଯୁକ୍ତମାନେ ରେଜିଷ୍ଟ୍ରେସନ ନକରି ସାଧାରଣ ଲୋକଙ୍କଠାରୁ ଦାଦାବଟି ଆଦାୟ କରୁଥିଲେ । ପୋଲିସ ଅଭିଯୁକ୍ତମାନଙ୍କଠାରୁ ମୋବାଇଲ ଫୋନ୍, ୨ଟି କାର୍, ନଗଦ ଟଙ୍କା ଓ ମିଛ ସାମ୍ୱାଦିକ ପରିଚୟ ପତ୍ର ଜବତ କରିଛି । ଏମାନଙ୍କ ବିରୋଧରେ ଡକାୟତି ମାମଲା ରୁଜ୍ଜୁ କରି ପୋଲିସ କୋର୍ଟ ଚାଲଣ କରିଛି । ତେବେ ଆହୁରି ଅନେକ ବ୍ୟକ୍ତି ଏହା ସହ ସଂଶ୍ଲିଷ୍ଟ ଥାଇ ପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି ।