ବେଧଡକ୍‌ ଲୁଟ୍‌ କରୁଛନ୍ତି ଲୁଟେରା ୪୮ ଘଣ୍ଟାରେ ୭ ସୁନାଚେନ୍‌ ଲୁଟ୍‌

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ । ସହରରେ ଶାନ୍ତିଶୃଙ୍ଖଲା ବଜାୟ ରଖିବା ଓ ଧନଜୀବନର ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରୁଛି କମିଶନରେଟ୍‌ ପୋଲିସ୍‌ । ତା ସହିତ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରାଜଧାନୀରେ ମାଳ ମାଳ ପୁଲିସ । ଯେମିତି କୌଣସି ଅଘଟଣ ନ ଘଟିବ, ସେଥିପାଇଁ ଚେଷ୍ଟା କରୁଛନ୍ତି ବରିଷ୍ଠ ଅଧିକାରୀ । ପୁଲିସ କମିସନରଙ୍କ ଠାରୁ ଆରମ୍ଭ କରି ଆଇଆଇସିଙ୍କ ପର୍ଯ୍ୟନ୍ତ ସମସ୍ତେ ସତର୍କ ବୋଲି କୁହାଯାଉଛି । କିନ୍ତୁ ସବୁ ସୁରକ୍ଷା ବଳୟକୁ ଭେଦ କରି ରାଜଧାନୀରେ ରାଜ୍‌ କରୁଛନ୍ତି ଲୁଟେରା । ସେମାନେ ଯେମିତି ସହରକୁ ନିଜ କବଜାକୁ ନେଇ ଯାଇଛନ୍ତି । ରାଜଧାନୀରେ ୪୮ ଘଣ୍ଟାରେ ୭ ଲୁଟ୍‌ ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ସେଥିରୁ କେବଳ ୬ ସୁନାଚେନ୍‌ ଲୁଟ୍‌ ହୋଇଛି । ସ୍ପେସାଲ ସ୍କ୍ୱାଡ୍‌, ସ୍ପେସାଲ କ୍ରାଇମ୍‌ ୟୁନିଟ୍‌ ଥାଇ ବି ଅପରାଧୀଙ୍କ ଉପରେ ଏହାର କିଛି ଫରକ୍‌ ପଡୁନି ।
ଜାତୀୟ ରାଜପଥରେ ଆତଙ୍କ ଖେଳାଇ ଚାଲିଛନ୍ତି ହାଇୱେ ଲୁଟେରା । ପାତ୍ରପଡ଼ା ଠାରୁ ପାହାଳ ପର୍ଯ୍ୟନ୍ତ ସେମାନଙ୍କ ଅପରେସନ୍‌ ଏରିଆ ରହିଛି । ନିର୍ଦ୍ଦିଷ୍ଟ କେତେକ ଜାଗାରେ ଲୁଟପାଟ୍‌ କରୁଛନ୍ତି ସେମାନେ । ଖଣ୍ଡଗିରି, ବରମୁଣ୍ଡା, କଳିଙ୍ଗବିହାର ଛକ, ଜୟଦେବ ବିହାର, ପାହାଳ ଆଦି ଅଞ୍ଚଳରେ ସେମାନେ ନିୟମିତ ଲୁଟ୍‌ କରୁଥିବା ସୂଚନା ମିଳିଛି । ପୁଲିସକୁ ଚକ୍‌ମା ଦେବା ପାଇଁ ବାଇକ୍‌ ନମ୍ବର ପ୍ଲେଟକୁ ଘଷି ଦେଉଛନ୍ତି । ଫଳରେ ଗାଡି ନମ୍ବର ସଠିକ୍‌ ଭାବରେ ଜଣାପଡୁନାହିଁ । ଫଳରେ ଏହି ଲୁଟେରାମାନଙ୍କ ପାଖରେ ପହଞ୍ଚିବାର ପୋଲିସ୍‌ ପାଇଁ କଷ୍ଟ ହୋଇପଡିଥିବା ଜଣାପଡୁଛି ।

Comments (0)
Add Comment