ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ଜଗିମଙ୍ଗତ ପଣ୍ଡା ମନି ଲଣ୍ଡ୍ରିଂ ,ହାଓଲା କାରବାର, ଟିକସ ଫାଙ୍କି, ଆର୍ଥିକ ଠକେଇ ଭଳି ପ୍ରସଙ୍ଗ ପୁଣି ରାଜନୀତିରେ ଚର୍ଚ୍ଚା ପାଲଟିଛି । ୨୦୧୯ରେ ବୈଜୟନ୍ତଙ୍କ ବାହାମାସ ଲିଙ୍କ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ମଲ୍ଟି ଏଜେନିସୀ ଗ୍ରୁପ ଜରିଆରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ତଦନ୍ତ ଆଗକୁ ଯାଉନଥିବା ନେଇ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ସ୍ତମ୍ଭକାର, ସମାଜସେବୀ ଓ ଆଇନଜୀବୀ ।
ଚଳିତବର୍ଷ ଫେବୃୟାରୀ ୨୦ରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ସ୍ୱିପ୍ଟ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ତଥା ମଲ୍ଟି ଏଜେନ୍ସି ଗ୍ରୁପ(ମ୍ୟାଗ୍)-ସିବିଆଇ,ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଏବଂ ଆୟକର ବିଭାଗ(ଆଇଟି) ଏଥିରେ ଶିଥୀଳତା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।
ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଗତବର୍ଷ ଜାନୁଆରୀ ମାସରେ ଅଭିଯୋଗ ଆସିଥିଲା । ଇଣ୍ଡିଆନ ଏକ୍ସପ୍ରେସରେ ସେତେବେଳେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା, ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲଙ୍ଘନ କରିଛନ୍ତି । ମିଛ କମ୍ପାନୀ ଗଠନ କରି ଏମାନେ ପ୍ରାୟ ୧୮ କୋଟି ଟଙ୍କା ବିଦେଶରୁ ହାସଲ କରିଛନ୍ତି । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନାହିଁ ବୋଲି ଅଭିଯୋଗ ହୋଇଥିଲା ।
ବୈଜୟନ୍ତଙ୍କ ଏପରି ସଂପୃକ୍ତି ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ(ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟୁଇଟ୍ କରି ବୈଜୟନ୍ତଙ୍କ କଳା କାରନାମା ସମ୍ପର୍କରେ ପ୍ରକାଶ ପାଇଥିବା ଖବରକୁ ଟୁଇଟ୍ କରି କଡ଼ା ସମାଲୋଚନା କରିଛନ୍ତି । ଟୁଇଟ୍ କରି ପ୍ରଣବ କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟ ବୈଜୟନ୍ତ ବିରୋଧରେ ଆସିଥିବା ସାଘାଂତିକ ଅଭିଯୋଗର ତଦନ୍ତ ପାଇଁ ଗତ ଫେବୃୟାରୀ ୭ରୁ ନିର୍ଦ୍ଦେଶ ଦେଲେଣି । ହେଲେ ସିବିଆଇ,ଇଡି,ଆଇଟି ଭଳି ମ୍ୟାଗ ସଂସ୍ଥାର ତଦନ୍ତର ଗତି ତ୍ୱରାନ୍ୱିତ ହେଉ ନାହିଁ । ଯେବେଠାରୁ ବୈଜୟନ୍ତ ଭାଜପା ରାଷ୍ଟ୍ରୀୟ ଉପସଭାପତି ପଦରେ ଆସୀନ ହେଲେଣି । ସେବେଠାରୁ ଏପରି ହେଉଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ବୈଜୟନ୍ତଙ୍କୁ ଦଳ ସୁରକ୍ଷା ଦେଉଛି କି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି ।
ସେପଟେ ଓଟିଭି କର୍ତ୍ତୃପକ୍ଷ ଏହାକୁ ମିଛ ଓ ମନଗଢ଼଼ା କହିଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ରଖାଯାଇଛି । ଏହାକୁ ପୁରୁଣା ଅଭିଯୋଗର ପୁନରାବୃତ୍ତି ଯୁକ୍ତି ଦର୍ଶାଇଛି ବୈଜୟନ୍ତଙ୍କ କାର୍ଯ୍ୟାଳୟ । ପୂର୍ବରୁ ଏହି ସମସ୍ତ ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି ବୋଲି ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା ତାଙ୍କ ପରିବାର ମାଲିକାନାରେ ଥିବା ଓଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି ।