ଭତ୍ତା ଟଙ୍କା ମାଗିବାରୁ ବୃଦ୍ଧବୃଦ୍ଧାଙ୍କୁ ଦୁର୍ବ୍ୟବହାର, ଥାନାରେ ଅଭିଯୋଗ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍‌ ଅଣକା ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଭତ୍ତା ଟଙ୍କା ମାଗିବାରୁ ବୃଦ୍ଧବୃଦ୍ଧାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବାର ସଂଗିନ୍‌ ଅଭିଯୋଗ ହେବା ପରେ ପୁଲିସ ଏକ ୩୭୩/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଅଣକା ପଞ୍ଚାୟତର ଭୁଲୁକା, ଅଣକା, ମହିପୁର, ଖଡ଼ିଅଙ୍ଗ, ରାହାଳ ଓ ଦକ୍ଷିଣକୁଳ ଆଦି ଗ୍ରାମର ବହୁ ବୃଦ୍ଧବୃଦ୍ଧା ୮/୯ ମାସ ହେବ ଭତ୍ତା ଟଙ୍କା ପାଇବାରେ ଅହେତୁକ ବିଳମ୍ବ ହେଉଛି ବୋଲି ଅଭିଯୋଗ କରିଥିଲେ । କିଛି ହିତାଧିକାରୀ ଏନେଇ ଗତ ୧୮ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଆମକୁ କେଉଁଦିନ ଭତ୍ତା ଟଙ୍କା ମିଳିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ ପଚାରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବର୍ତ୍ତମାନର ସରପଞ୍ଚଙ୍କ ସ୍ୱାମୀ ସମରେନ୍ଦ୍ର ମହାପାତ୍ର ଏମାନଙ୍କୁ ଗାଳିଗୁଳଜ କରିଥିଲେ। ଦଳିତ ବର୍ଗର ବୃଦ୍ଧବୃଦ୍ଧାଙ୍କୁ ଜାତିଆଣ ଆକ୍ଷେପ କରିଥିଲେ। ଏ ସଂପର୍କରେ ହିତାଧିକାରୀ ଟଭା ଜେନା, ରବୀନ୍ଦ୍ର ଜେନା, ଜେମାମଣି ଜେନା ଓ ସତୀ ନାୟକଙ୍କ ସମେତ ଅନେକ ବୃଦ୍ଧବୃଦ୍ଧା ଆଜି ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ସରପଞ୍ଚଙ୍କ ସ୍ବାମୀ ସମରେନ୍ଦ୍ର ମହାପାତ୍ର ଓ ପିଇଓ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।

Comments (0)
Add Comment