ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ଅତିଥିମାନଙ୍କୁ ଭାରତକୁ ଚିହ୍ନାଇବା ଓ ଏହାର ଐତିହ୍ୟ, ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପ୍ରଦାନ ପାଇଁ ଏଆଇ ବା କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇଛି । ଭାରତ ମଣ୍ଡପମ୍ ପରିସରରେ କୃତ୍ରିମ ବୁଦ୍ଧିମତା(ଏଆଇ) ମାଧ୍ୟମରେ ଭଗବତ୍ ଗୀତାର ବାଣୀ ଓ ଏହାର ଭାବାର୍ଥ ତଥା ଦର୍ଶନ ବର୍ଣ୍ଣନା କରାଯିବ । ଆଧ୍ୟାତ୍ମିକତା ଓ ବୈଷୟିକ ଜ୍ଞାନକୌଶଳର ଏହି ସମ୍ମିଳିତ ପ୍ରୟାସ ପ୍ରଦର୍ଶନ ପାଇଁ ସମ୍ମିଳନୀ ସ୍ଥଳରେ ଏକ କିଓସ୍କ ପ୍ରତିଷ୍ଠା କରାଯାଇଛି । ଏହା ପରିଦର୍ଶକଙ୍କୁ ଗୀତା ଆଧାରିତ ବିଭିନ୍ନ ପ୍ରଶ୍ନର ତତ୍କାଳ ଉତ୍ତର ମଧ୍ୟ ଦେବ । ଗୀତାରେ ବର୍ଣ୍ଣିତ ଜୀବନ ଦର୍ଶନ, ଆଧ୍ୟାତ୍ମିକତା, ନୀତି ଓ ଆଦର୍ଶ ସମ୍ପର୍କରେ ଏହା ବର୍ଣ୍ଣନା କରିବ । ଏହା ୨୪ଟି ଭାରତୀୟ ଭାଷା ସମେତ ସମସ୍ତ ଜି-୨୦ ରାଷ୍ଟ୍ରର ଭାଷାରେ ଉତ୍ତର ପ୍ରଦାନ ତଥା କଥାବର୍ତ୍ତା କରିବାର କ୍ଷମତା ରଖିଛି । ଏହି କିଓସ୍କ ସହିତ ଭାରତର ବୈଷୟିକ ଜ୍ଞାନ ପ୍ରଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ମଣ୍ଡପ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ହଲ୍-୪ ଓ ୧୪ରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସେହିଭଳି ସ୍ୱତନ୍ତ୍ର ଭାବେ ଜି-୨୦ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି । ଫଲରେ ବିଭିନ୍ନ ରାଷ୍ଟ୍ରର ନେତା ଓ ନିମନ୍ତ୍ରିତ ପ୍ରତିନିଧିମାନେ ସମସ୍ତ ସୂଚନା ପାଇପାରିବେ । ସମସ୍ତ କାର୍ଯ୍ୟକ୍ରମ, ଭାଷଣ ଆଦି ଏଥିରେ ତୁରନ୍ତ ଉପଲବ୍ଧ ହେବ ।