ଭୁବନେଶ୍ୱର: ଭୁବନେଶ୍ୱରରୁ କଳାହାଣ୍ଡିର ଉତକେଲାକୁ ଆଜିଠାରୁ ବିମାନ ଚଳାଚଳ ଆରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଲିୟରରୁ ଭର୍ଚୁଆଲ ମୋଡ୍ରେ ଏବଂ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗଅପ୍ କରି ଏହି ଯୋଜାନର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଠାରୁ ୧୦.୫ ମିନିଟ୍ରେ ବାହାରିଥିବା ଇଣ୍ଡିଆନ୍ ଏୟାରଲାଇନ୍ସର ଏହି ୯ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନର ପ୍ରଥମ ଯାତ୍ରୀ ଭାବରେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯାତ୍ରା କରିଛନ୍ତି । ଏହି ଅବସରରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦିପ୍ତ କୁମାର ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉତକେଲା ବିମାନବନ୍ଦରରେ ଉପସ୍ଥିତ ରହି ବିମାନକୁ ସ୍ୱାଗତ କରିଥିଲେ ।
ଏହି ବମାନରେ ଯାତାୟତ ପାଇଁ ଟିକେଟର ମୂଲ୍ୟ ୧୦୪୦ ଟଙ୍କା ରଖାଯାଇଛି । ପ୍ରଥମେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରବାର ଏହି ବିମାନ ଚଳାଚଳ କରିବ । ପରେ ସପ୍ତାହକୁ ସବୁଦିନ ବିମାନ ଉଡିବ । ସପ୍ତାହର ଦୁଇ ଦିନ ସକାଳ ୭ଟା ୧୫ରେ ଭୁବନେଶ୍ୱରରୁ ବାହାରି ୮ଟା ୨୫ରେ ଉତ୍କେଲାରେ ପହଂଚିବ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ୱରରେ ପହଂଚିବ ବୋଲି ଯୋଜନା କରାଯାଇଛି । ମାତ୍ର ଘଣ୍ଟେ ଦଶ ମିନିଟରେ ଭୁବନେଶ୍ୱରରୁ କଳାହାଣ୍ଡି ରେ ପହଞ୍ଚି ହେବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସରକାରଙ୍କ ଏ ପଦକ୍ଷେପ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଏଥିସହ ଖୁବଶୀଘ୍ର କଳାହାଣ୍ଡିରୁ ରାୟପୁର ବିମାନ ଚଳାଚନ କରିବା ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।