ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ଦେଶର ୮ଟି ରାଜ୍ୟରେ ନିଉ ସିଟି ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହି ଆଠଟି “ନିଉ ସିଟି’ ଭିତରେ ଭୁବନେଶ୍ୱରକୁ ସାମିଲ କରାଯିବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଛନ୍ତି । ସମଗ୍ର ଦେଶର ୨୨ଟି ସହର ‘ନିଉ ସିଟି’ ନିର୍ମାଣ ନିମନ୍ତେ ଇଚ୍ଛାପ୍ରକାଶ କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟି ସହରରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ପରିବେଶ ଉପଯୋଗୀ ଯୋଜନା ସହ ସମ୍ପୂର୍ଣ୍ଣ ନୂଆ ଶୈଳୀରେ ଭୁବନେଶ୍ୱର ଉପକଣ୍ଠରେ ‘ନିଉ ସିଟି’ ନିର୍ମାଣ ହେବ । ଭୁବନେଶ୍ୱର ଉପକଣ୍ଠର ଗୋଠପାଟଣା ଓ ଦାସପୁର ମୌଜାରେ ଏଥିପାଇଁ ୮୨୧ ଏକର ଜମି ଚିହ୍ନଟ କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ନେଇ ନିଜ ନିଜସ୍ତରରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନିକଟରେ ଏକ ଉଚ୍ଚ଼ସ୍ତରୀୟ କେନ୍ଦ୍ରୀୟ ଟିମ୍ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଯାହାପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ୱୟ ଭାବେ ଏହି ସିଟିକୁ ନେଇ ଯୋଜନା ମାନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏଠାରେ ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ହେବ ବ୍ୟବସ୍ଥା ।
ଏହି ନୂତନ ସହରର ରୂପରେଖ ପାଇଁ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କା ଦେବେ । ଜମି ଓ ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ବହନ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ନିକଟରେ ଏହି ପ୍ରସ୍ତାବ ଦାଖଲ ପରେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ଏକ ଟିମ ଓଡ଼ିଶା ଗସ୍ତରେ ଆସି ହେବାକୁ ଥିବା ପ୍ରକଳ୍ପର ଜାଗା ପରିଦର୍ଶନ କରିଥିବାରୁ ଭୁବନେଶ୍ୱରରେ ‘ନିଉ-ସିଟି’ ଗଠନ ହେବାର ଆଶା ବଢ଼ିବାରେ ଲାଗିଛି ।