ଭୋପାଳ/ରାୟପୁର: ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନ ଓ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ମଧ୍ୟପ୍ରଦେଶରେ ୭୨ ପ୍ରତିଶତ ଏବଂ ଛତିଶଗଡ଼ରେ ୬୯ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ସହିତ ମଧ୍ୟପ୍ରଦେଶର ମୋଟ୍ ୨୫୩୩ ପ୍ରାର୍ଥୀ ଏବଂ ଛତିଶଗଡ଼ର ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି। ଡିସେମ୍ବର ୩ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହେବ। ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇବାରୁ ଜଣେ ଆଇଟିବିପି ଯବାନ ସହିଦ ହୋଇଯାଇଛନ୍ତି। ଜିଲ୍ଲାର ଗୋବରା ଗ୍ରାମରେ ନିର୍ବାଚନ ସରିବା ପରେ ସୁରକ୍ଷା କର୍ମୀମାନେ ପୋଲିଂ ପାର୍ଟିକୁ ନେଇ ଫେରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡ୍ମାଇନ ବିସ୍ଫୋରଣ ହେବାରୁ ଏଥିରେ ଆଇଟିବିପି ଯବାନ ଯୋଗେନ୍ଦ୍ର ସିଂହ ସହିଦ ହୋଇଯାଇଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଭିଣ୍ଡ, ମୁରୈନା, ଇନ୍ଦୋର, ନର୍ମଦାପୁରମ, ମଉ, ଛିନ୍ଦୱାଡ଼ାରେ ୨୦ରୁ ଅଧିକ ହିଂସା ମାମଲା ରିପୋର୍ଟ ହୋଇଛି। ମେହଗାଓଁ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଏବଂ ଜଣେ ଆପ୍ ସମର୍ଥକ କିଛି ଅଜ୍ଞାତ ଲୋକଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଛତିଶଗଡ଼ର ରାୟପୁର ଓ ଧମତରୀରେ ମଧ୍ୟ ହିଂସା ହୋଇଛି।