ମରୁଡ଼ି ଓ ଚକଡ଼ା ପୋକ କ୍ଷତିଗ୍ରସ୍ତ ଚାଷୀଙ୍କ ଋଣଛାଡ଼ ଦାବୀ

ଭୁବନେଶ୍ୱର: ରାଜ୍ୟର ପାଖାପାଖି ୧୯ଟି ଜିଲାର ୨୦୦ ବ୍ଲକରେ ସ୍ୱଳ୍ପବୃଷ୍ଟି ଜନିତ ସମସ୍ୟା ଯୋଗୁ ଧାନ ବିଲ ଫାଟି ଆଁ କଲାଣି। ଯେଉଁ କେତେକ ସ୍ଥାନରେ ମାଟି ବତର ଅଛି, ସେଠାରେ ଧାନଗଛ ସବୁ ନାଲିଆ ପଡ଼ିଗଲାଣି। ବର୍ତ୍ତମାନ ଖରିଫ ଧାନ ଫୁଲ ଉଡ଼ାଉଛି ଏବଂ କିଛି କିଛି ସ୍ଥାନରେ କ୍ଷୀର ଢୋକିବା ଆରମ୍ଭ କରିଛି। ଏହି ସମୟରେ ପାଣିର ଘୋର ଅଭାବ ସାଙ୍ଗକୁ ଚକଡ଼ା ପୋକ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାର ସାଜିଛି। ଯେତେ ପୋକମରା ଔଷଧ ପକାଇଲେ ମଧ୍ୟ ପୋକ ମରୁନାହାଁନ୍ତି। ଶହ ଶହ ଏକର ଧାନଜମି ଚକଡ଼ା ପୋକ ଯୋଗୁ ନଷ୍ଟ ହେବାକୁ ବସିଲାଣି। ଚାଷୀ ବିଲମୁଣ୍ଡରେ ହାତ ଦେଇ ବସିଛି। ବ୍ୟାଙ୍କ ଋଣ ଓ ଧାର କରଜ କରି ଚାଷୀ ବିଳମ୍ବିତ ବର୍ଷା ଯୋଗୁ ବହୁ ଡ଼େରିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲା, ଭାବିଥିଲା ଧାନ ଫସଲ ଅମଳ ହେଲେ କିଛି ଋଣ ଶୁଝିବ ଏବଂ ନିଜର ବର୍ଷକର ଗୁଜୁରାଣ ମେଣ୍ଟାଇବ। ଧାନ ଥୋର ସମୟରେ ଦାଉ ସାଜିଲା ବର୍ଷାର ଅଭାବ ଓ ଚକଡ଼ା ପୋକଙ୍କ ଆକ୍ରମଣ। ୨୦୧୫ ମସିହା ଭଳି ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା ବଢିବାର ଆଶଙ୍କାକୁ ଟାଳି ଦିଆଯାଇ ନପାରେ। ତେଣୁ ଏହି ପରିପ୍ରେକ୍ଷୀରେ ଚାଷୀ ସମାଜର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସରକାରଙ୍କୁ ତୁରନ୍ତ କୃଷି କ୍ୟାବିନେଟ ବୈଠକ ଡ଼ାକି ଏ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାର ଆବଶ୍ୟକ ଅଛି ବୋଲି ଦାବୀ କରିଛି।

Comments (0)
Add Comment