ମହାନଦୀରେ ବନ୍ୟା ୬୫ ଗାଁ ପ୍ରଭାବିତ ହେବା ଆଶଙ୍କା

ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା ଜଳମଗ୍ନ ହୋଇପଡିଥିବାରୁ ମହାନଦୀ ସଂଲଗ୍ନ ମହାନଦୀ ତଳିଆ ଅଂଚଳରେ ଏକ ବଡ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ହରଭଙ୍ଗା ତହସିଲର ୪୧ଟି ବନ୍ୟାପ୍ଲାବିତ ଅଂଚଳଲୋକଙ୍କୁ ସତର୍କ କରାଯାଇଛି । ବଡଧରଣର ବନ୍ୟା ହେଲେ ହରଭଙ୍ଗା ବ୍ଲକର ୯ଟି ପଂଚାୟତର ୬୫ଟି ନଦୀକୂଳିଆ ଗ୍ରାମ ପ୍ରଭାବିତ ହେବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ହରଭଙ୍ଗା-ଧଳପୁର-ରାମଗଡ-ହାଟ ଗାଁ ଭଳି ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ୫ଫୁଟ ଉଚ୍ଚରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି । ସେହିପରି ଉଦଣ୍ଡୀ ନାଳରେ ୧୦ଫୁଟ୍‌ ଉଚ୍ଚରେ ବନ୍ୟାପାଣି ଯୋଗୁଁ କୁଶଙ୍ଗ ପଂଚାୟତର ଆଦିବାସୀ ବହୁଳ ମାରଡା ଗ୍ରାମ ପାଣିଘେରରେ ରହିଥିବା ଜଣାପଡିଛି । ହରଭଙ୍ଗା ତହସିଲହର ୫ ହଜାର ଧାନଚାଷ ଜମି ବନ୍ୟାପାଣିରେ ନଷ୍ଟ ହେବା ଆଶଙ୍କା କରାଯାଉଛି । ବର୍ତମାନ ୫ଶହ ହେକ୍ଟର ଚାଷଜମି ଜଳମଗ୍ନ ଥିବା ସୂଚନା ମିଳିଛି ।
ସେହିପରି ମାରଡା, ଖଣ୍ଡିଧଳପୁର, ପାଣିଘରା, କରଡି, କୋଡାଶିଙ୍ଗା, ଅତଲସରା, ତିରଡ, କୃଷ୍ଣମୋହନପୁର ଭଳି ଅନେକ ଗାଁ ପାଣିଘେରର ଥିବା ଜଣାପଡିଛି । ମହାନଦୀରେ ଜଳସ୍ତର ବହୁତ ପରିମାଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସର୍ତକ ସୂଚନା ଦିଆଯାଇଛି । ଲୋକେ ଛେଳି, ମେଣ୍ଡା, ଗାଈ,ଗୋରୁ, ପୋଢ, ମଇଁଷିକୁ ଉଚ୍ଚସ୍ଥାନକୁ ଏବେଠାରୁ ସ୍ଥାନାନ୍ତରିତ ପ୍ରକିୟା ଆରମ୍ଭ ହୋଇଯାଇଛି । ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ଏବଂ ତହସିଲ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ଜଣାପଡିଛି । ଏହା ସହିତ ସମସ୍ତ ପିଇଓ, ଜିଆରଏସ ଏବଂ ରାଜସ୍ୱ ନୀରିକ୍ଷକମାନଙ୍କୁ ପଂଚାୟତ ହେଡକ୍ୱାର୍ଟରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଓଡ୍ରାଫ୍‌ ଟିମ ଦ୍ୱାରା ତଳି ଅଂଚଳ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରିବା ସହିତ ରନ୍ଧାଖାଦ୍ୟ ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରଶାସନିକସ୍ତରରେ ବିଚାର ବିମର୍ଷ ଚାଲିଛି ।

Comments (0)
Add Comment