ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ ଆସେସ୍ମେଣ୍ଟ-୨ ମାର୍ଚ୍ଚ ୧୫ରୁ ୨୦ତାରିଖ ମଧ୍ୟରେ ହୋଇପାରେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ(ଓସେପା)। ଏହି ସମୟରେ ପରୀକ୍ଷା କରିବା ପାଇଁ ଯୋଜନା ରହିଥିବା ସଂକ୍ରାନ୍ତରେ ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମାର୍ଚ୍ଚ ୨୧ରୁ ୨୭ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ ହେବ। ୩୦ ତାରିଖରେ ଫଳ ପ୍ରକାଶ ପାଇବ। ସେହିଭଳି ପ୍ରଶ୍ନପତ୍ର କେବେ କେଉଁଠୁ ଯିବ ସେ ନେଇ ମଧ୍ୟ ତାରିଖ ଧାର୍ୟ୍ୟ କରାଯାଇଛି। ତେବେ ଏହାକୁ ପରିବର୍ତ୍ତନ ମଧ୍ୟ କରାଯାଇପାରେ। ପରୀକ୍ଷା ପାଇଁ ପ୍ରଶ୍ନପତ୍ର, ଉତ୍ତର ଖାତା, ମୌଖିକ ପ୍ରଶ୍ନପତ୍ର ଆଦି ଟିଇ ଆଣ୍ଡ୍ ଏସ୍ସିଇଆର୍ଟି ପ୍ରସ୍ତୁତ କରୁଛି। ଏସବୁକୁ ଦୃଷ୍ଟିରେ ରଖି ଜିଲା ପ୍ରକଳ୍ପ ଅଧିକାରୀ(ଡିପିଓ)ଙ୍କ ସ୍ତରରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। ତେବେ ସମ୍ମେଟିଭ ଆସେସ୍ମେଣ୍ଟ-୨ ପାଇଁ ସମ୍ପୂର୍ଣ୍ଣ ଏସ୍ଓପି/ଗାଇଡ୍ଲାଇନ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ସୂଚନା ଦିଆଯାଇଛି।