ମୁଖ୍ୟମନ୍ତ୍ରୀ ରୂପାନ୍ତରଣ ନାଁରେ ଦିନରେ ଲଣ୍ଠନ ଦେଖାଉଛନ୍ତି:ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର  ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି । ବିଜେପିର ଏକ ମିଶ୍ରଣ ପର୍ବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ରାଜ୍ୟରେ ରୂପାନ୍ତରଣ ନାଁରେ ଛଳନା ଚାଲିଛି । ରୂପାନ୍ତରଣ ନାଁରେ ଦିନରେ ଲଣ୍ଠନ ଦେଖାଉଛନ୍ତି । ମୁଖ୍ୟମନ୍ତ୍ରୀ ଜନ୍ମ ହେବାପରେ ସୁନା ଚାମଚରେ ଖାଇଲେ, ଗରିବଙ୍କ ଦୁଃଖ ଜାଣିବେ କେମିତି? ଓଡ଼ିଶାରେ ମହିଳା ଅସୁରକ୍ଷିତ ।  ମମିତା ମେହେର ଓ ଇତିଶ୍ରୀ ଘଟଣାରେ ମୁଖ୍ୟମନ୍ତ୍ରୀ କ’ଣ କଲେ, ତାହା ସମସ୍ତେ ଦେଖିଲେ । ଆପଣଙ୍କ ଗୁମାସ୍ତାମାନେ ଗୋଟିଏ ଝିଅକୁ ମାରି ପୋତି ଦେଲେ, ଜେଲ ଭିତରେ ଅଭିଯୁକ୍ତ ଆତ୍ମହତ୍ୟା କଲା । କ’ଣ ହେଲା ସେ ମାମଲାରେ, କେହି ଜାଣିପାରିଲେ ନାହିଁ । କିଏ ଧୃତରାଷ୍ଟ୍ର, କିଏ ଆଖିରେ କଳାପଟି ବାନ୍ଧିଛି ଲୋକେ ତା’ର ଜବାବ ଦେବେ ।

ଶିଶୁଙ୍କ ଅପପୁଷ୍ଟି ହାର ବଢ଼ିଛି ।  ଘରୋଇ ମେଡିକାଲରେ ଆପଣଙ୍କ କାର୍ଡ ଦୁରୂପଯୋଗ ହେଉଛି । ଆପଣଙ୍କ ଗୁମାସ୍ତାମାନେ କୋଟି କୋଟି ଟଙ୍କା ଲୁଟ୍ କରିବାକୁ ଜାଲ ବିଛାଇଛନ୍ତି । ଆଉ ଲୁଟ୍ କରୁଛନ୍ତି । ଆପଣ ରୂପାନ୍ତରଣ କଥା କହୁଛନ୍ତି । ଓଡ଼ିଶାରେ ପିଲାଙ୍କ ଡ୍ରପଆଉଟ୍ ହାର ୪୯% ଓ ଏହା କ’ଣ ରୂପାନ୍ତରୀକରଣ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।ଆପଣ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ବୋଲି କହୁଛନ୍ତି । ଶ୍ରୀଜଗନ୍ନାଥଙ୍କ ପତାକା, ମହାପ୍ରସାଦ ଛୁଇଁ କହିପାରିବେ କି ଆପଣଙ୍କ ନିର୍ବାଚନମଣ୍ଡଳୀ  ହିଞ୍ଜିଳିରେ କାମ ଯୋଗାଇ ଦେଉଛନ୍ତି, ଆଉ କେହି ଦାଦନ ଖଟିବାକୁ ଯାଉନାହାନ୍ତି ବୋଲି କହିପାରିବେ କି? ମୁଖ୍ୟମନ୍ତ୍ରୀ ଏନେଇ ଶ୍ୱେତପତ୍ର ଆଣିବାକୁ ସେ ଆହ୍ୱାନ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି । ଦେଶର ୨୪କୋଟି ଲୋକ ଦାରିଦ୍ର‌୍ୟତାରୁ ବାହାରି ସ୍ୱଚ୍ଛନ୍ଦରେ ଜୀବନ ବିତାଇ ପାରୁଛନ୍ତି । ଓଡ଼ିଶାରେ ଏକ କୋଟିରୁ ଅଧିକ ଲୋକ ଦାରିଦ୍ର‌୍ୟତାରୁ ବାହାରି ଆତ୍ମନିର୍ଭର ଦିଗରେ ଗତିଶୀଳ । ଓଡ଼ିଶାରେ ଯଦି ଦାରିଦ୍ର‌୍ୟ କମିଥାଏ ତା’ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ସଭା ମଂଚରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ୍ କରୁଥିଲେ । ଧର୍ମେନ୍ଦ୍ର ନିଜ ଭାଷଣରେ ପାଣ୍ଡିଆନଙ୍କ ନାଁ ନନେଇ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ଆଳରେ ପାଣ୍ଡିଆନଙ୍କୁ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରତିନିଧି ବୋଲି କଟାକ୍ଷ କରିବାକୁ ପଛାଇ ନାହାନ୍ତି ।

Comments (0)
Add Comment