ଯୋଡା ଶ୍ରାବଣ କଣ ଓ କାହିଁକି ପଡିଥାଏ ?

ମହାଦେବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଋଗବେଦ ଅନୁଯାୟୀ, ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବିଶେଷ ରୂପରେ ପୂଜା କରାଯାଇଥାଏ । ଭଗବାନ ଶିବଙ୍କୁ ପାଇବା ପାଇଁ ମାତା ପାର୍ବତୀ ଏହି ମାସରେ କଠୋର ତପସ୍ୟା କରିଥିଲେ । ବିଶ୍ୱାସ ରହିଛି, ମାତା ପାର୍ବତୀ ଓ ମହାଦେବ ଶ୍ରାବଣରେ ତ୍ରିଲୋକ ଭ୍ରମଣ କରିଥାନ୍ତି । ସବୁ ବର୍ଷ ଭଳି ଏଥର ଶ୍ରାବଣ ଟିକେ ସ୍ୱତନ୍ତ୍ର ରହିଛି । ଦୀର୍ଘ ୧୯ ବର୍ଷ ପରେ ଏବର୍ଷ ଯୋଡା ଶ୍ରାବଣ ପଡିଛି ।


ତେବେ ଆପଣ ଜାଣିଛନ୍ତି କି ଏହି ଯୋଡା ଶ୍ରାବଣ କଣ ଓ କାହିଁକି ପଡିଥାଏ ? ଯୋଡା ଶ୍ରାବଣ ପଡିଲେ ଏହା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା । ଏହି ଯୋଡା ମାସର ପ୍ରଥମ କୃଷ୍ଣ ପକ୍ଷ ଓ ଶେଷ ଶୁକ୍ଲ ପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ । ମଝିରେ ପ୍ରଥମ ଶୁକ୍ଲ ପକ୍ଷ ଓ ଦ୍ୱିତୀୟ କୃଷ୍ଣ ପକ୍ଷ ହେଉଛି ମଉଳା ଶ୍ରାବଣ ମାସ । ଯାହାକୁ ମଳମାସ ବୋଲି କୁହାଯାଇଥାଏ । ଶିବ ପୁରାଣ ଅନୁଯାୟୀ ଶ୍ରାବଣ ମାସକୁ ବିଶେଷ ଶୁଭ ବୋଲି ମନେ କରାଯାଏ । ଏହି ମାସରେ କାଉଡ଼ିଆମାନେ ମହାଦେବଙ୍କ ଶିବଲିଙ୍ଗରେ ପାଣି ଅର୍ପଣ କରିଥା’ନ୍ତି । ଏଥର ଶ୍ରାବଣ ମାସ ୫୯ ଦିନ ରହିବ ।


ଦୁଇଟି ପଦ୍ଧତିରେ ଦିନ ଗଣନା ହୋଇଥାଏ । ଗୋଟିଏ ହେଉଛି ସୌରମାସ ଓ ଅନ୍ୟଟି ହେଉଛି ଚନ୍ଦ୍ରମାସ । ଚନ୍ଦ୍ରମାସ ଅନୁସାରେ ବର୍ଷକ ହେଉଛି ୩୫୪ ଦିନ । କିନ୍ତୁ ସୈାରମାସ ଅନୁସାରେ ବର୍ଷକ ହେଉଛି ୩୬୫ ଦିନ । ସୈାରମାନ ବର୍ଷର ଦିନ ଠାରୁ ଚନ୍ଦ୍ରମାନ ବର୍ଷର ଦିନ ୧୧ ଦିନ ୬ ଘଂଟା କମ୍‌ । ଜ୍ୟୋତିଷ ଗଣନା ଅନୁସାରେ, ସୈାରବର୍ଷ ସହ ଚନ୍ଦ୍ରବର୍ଷର ସମତା ରକ୍ଷା କରିବା ପାଇଁ ଚନ୍ଦ୍ରମାସ ଗଣନାରେ ୨୮ରୁ ୩୪ ମାସ ଅନ୍ତରରେ ଗୋଟିଏ ଅଧିକ ମାସ ଗଣନା କରାଯାଏ । ଚନ୍ଦ୍ରମାନ ମାସ ଗଣନାରେ ଏହି ଅଧିକ ମାସଟିକୁ ଅଧିମାସ, ମଳମାସ ବା ପୁରୁଷୋତମ ମାସ କୁହାଯାଏ । ଏହି ମାସକୁ ଅସୁରମାନଙ୍କର ମାସ ମଧ୍ୟ କୁହାଯାଇଥାଏ ।

Comments (0)
Add Comment