ଭୁବନେଶ୍ୱର:ଆଜି ରାଜ୍ୟର ୧୩ଟି ଜିଲ୍ଲାର ୨୧ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦ୍ଘାଟନ କରିବା ସହିତ ୨୬ଟି ଜିଲ୍ଲାରେ ୧୨୪ଟି ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରିବେ । ଗ୍ରାମାଞ୍ଚଳ ପରିବହନ ସେବାକୁ ସୁଦୃଢ଼ କରିବା ପାଇଁ ସଂପ୍ରତି ରାଜ୍ୟର ସବୁ ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ମଧ୍ୟ ଯୋଜନା କରାଯାଉଛି । ଓଏସ୍ଆରଟିସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସବୁ ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ କରାଯାଉଛି । କିଛି ଦିନ ତଳେ ଧର୍ମଗଡ ଓ ଜୁନାଗଡ ବସଷ୍ଟାଣ୍ଡର ଉଦ୍ଘାଟନ ହୋଇଥିବାବେଳେ ଏବେ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା, ଲୋଇସିଂହା, ବୌଦ୍ଧର କଣ୍ଟାମାଳ, ଗଜପତିର ଆର୍.ଉଦୟଗିରି ଓ ଗୁମ୍ମା, ଝାରସୁଗୁଡାର କୋଲାବିରା, କନ୍ଧମାଳର ଟିକାବାଲି, କେନ୍ଦ୍ରାପଡାର ମାର୍ଶାଘାଇ, ଆଳି ଓ ଗରଦପୁର, କେନ୍ଦୁଝରରେ ଘଷିପୁରା, ଘଟଗାଁ, ତେଲକୋଇ, କୋରାପୁଟରେ କୋଟପାଡ, ମୟୂରଭଞ୍ଜରେ ବେତନଟୀ, ନବରଙ୍ଗପୁରରେ କୋସାଗୁମୁଡା,ଡାବୁଗାଁ, ନୟାଗଡରେ ଗଣିଆଁ, ପୁରୀରେ କାକଟପୁର, ସୁବର୍ଣ୍ଣପୁରରେ ବିନିକା ଓ ଉଲୁଣ୍ଡା ବ୍ଲକରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡର ଉଦ୍ଘାଟନ ହେବ ।
ଦ୍ୱିତୀୟ ପର୍ଯ୍ୟାୟରେ ଅନୁଗୁଳରେ ୨ଟି, ବଲାଙ୍ଗୀରରେ ୬ଟି, ବରଗଡରେ ୯ଟି, ଭଦ୍ରକରେ ୬ଟି, କଟକରେ ୩ଟି, ଦେବଗଡରେ ୪ଟି, ଢେଙ୍କାନାଳରେ ଗୋଟିଏ, ଗଜପତିରେ ଗୋଟିଏ, ଗଞ୍ଜାମରେ ୯ଟି, ଜଗତସିଂହପୁରରେ ୩ଟି, ଯାଜପୁରରେ ୩ଟି, କଳାହାଣ୍ଡିରେ ୯ଟି, କନ୍ଧମାଳରେ ୧୦ଟି, କେନ୍ଦ୍ରାପଡାର ଗୋଟିଏ, ଖୋର୍ଦ୍ଧାରେ ୩ଟି, କୋରାପୁଟରେ ୧୦ଟି, ମାଲକାନଗିରିରେ ୫ଟି, ମୟୂରଭଞ୍ଜରେ ୧୧ଟି, ନୟାଗଡରେ ଗୋଟିଏ, ନବରଙ୍ଗପୁରରେ ୬ଟି, ନୂଆପଡାରେ ୪ଟି, ପୁରୀରେ ଗୋଟିଏ, ରାୟଗଡାରେ ୪ଟି, ସମ୍ବଲପୁରରେ ଗୋଟିଏ, ସୁବର୍ଣ୍ଣପୁରରେ ଗୋଟିଏ, ସୁନ୍ଦରଗଡରେ ୧୦ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ସବୁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଦୁଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦେବଗଡ ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଥିବାରୁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ଏବଂ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ବାକି ବ୍ଲକରେ ଆମ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ଓଏସ୍ଆରଟିସି ପକ୍ଷରୁ କୁହାଯାଇଛି ।