ଭୁବନେଶ୍ୱର: ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ବା ‘ମୁକ୍ତା’ଢେଙ୍କାନାଳ ଓ ଜଟଣୀରେ ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ ହୋଇ ସଫଳତା ପାଇବା ପରେ ଏବେ ରାଜ୍ୟର ୨୫ଟି ପୌର ସଂସ୍ଥାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ୱେବ୍ ଆଧାରିତ ଆପ୍ କାର୍ଯ୍ୟକ୍ରମ ଗୁଡିକର ରୂପାୟନରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ‘ମୁକ୍ତା’ ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ । ୧୧୫ଟି ପୌର ସଂସ୍ଥାରେ ସହରାଞ୍ଚଳ ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଶ୍ରମିକଙ୍କୁ ସଠିକ ସମୟରେ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଏହି ଆପ୍ ‘ମୁକ୍ତା ସଫ୍ଟ’ କାର୍ଯ୍ୟକାରୀ କରୁଛନ୍ତି ।
ଏହା ମଧ୍ୟରେ ୫ଟି ମହାନଗର ନିଗମ, ୧୪ଟି ପ୍ରମୁଖ ପୌରପାଳିକା ଓ ୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ଏହାର ସଫଳତା ପାଇଁ ୨୫ଟି ପୌରସଂସ୍ଥାର ମାଷ୍ଟର୍ ଟ୍ରେନରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମୁକ୍ତା ସଫ୍ଟ ୱାନ ପଏଣ୍ଟ ଜିରୋର ବିଭିନ୍ନ ଦିଗକୁ ପରବର୍ତ୍ତୀ ସ୍ତରରେ ପୌର ସଂସ୍ଥାର କର୍ମଚାରୀଙ୍କୁ ପରିଚିତ କରାଇବାରେ ଏହି ମାଷ୍ଟର୍ ଟ୍ରେନରମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍ ମାଷ୍ଟର ଟ୍ରେନରଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । ମଜୁରୀ ଭିତ୍ତିକ ସହରାଞ୍ଚଳ ଜୀବିକା ସୁରକ୍ଷା କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ଶ୍ରମିକଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ଦିଗରେ ଏହି ଓ୍ବେବ୍ ଆଧାରିତ ଆପ୍ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦୦ ବ୍ୟକ୍ତିଙ୍କୁ ୫ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।