ନୂଆଦିଲ୍ଲୀ: ସୋମବାର ହେବାକୁ ଥିବା ରାମମନ୍ଦିର ପ୍ରତିଷ୍ଠା ସମାରୋହ ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ କରାଯାଉଥିବା ସନ୍ଦେହଜନକ କାର୍ୟ୍ୟକଳାପ କିମ୍ବା ପ୍ରୟାସ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ, ସୂଚନାପ୍ରଯୁକ୍ତି ମନ୍ତ୍ରଣାଳୟ, ସିଇଆର୍ଟି-ଆଇଏନ୍ ଏବଂ ଗୁଇନ୍ଦା ବ୍ୟୁରୋ (ଆଇବି)ର ଅଧିକାରୀଙ୍କୁ ନେଇ ଗଠିତ ସାଇବର ବିଶେଷଜ୍ଞଙ୍କ ଏକ ଟିମ୍ ଅଯୋଧ୍ୟାକୁ ପଠାଯାଇଛି। ଶ୍ରୀରାମ ମନ୍ଦିରକୁ ନେଇ କୌଣସି ନକଲି/ଡିପ୍ ଫେକ୍ ଭିଡିଓକୁ ତୁରନ୍ତ ହଟାଇ ଏଭଳି ଘଟଣାକୁ ଗୃହ ମନ୍ତ୍ରଣାଳୟ, ନର୍ଥବ୍ଲକର କଣ୍ଟ୍ରୋଲ ରୁମକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଭୁଲ୍ ବିଷୟବସ୍ତୁ ମିଳିବା ପରେ କେନ୍ଦ୍ର ସରକାର ଇନ୍ଷ୍ଟାଗ୍ରାମ୍, ଫେସ୍ବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସର ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି ଏବଂ ମିଥ୍ୟା ଖବର ପାଇଁ ଅଧିକ ସତର୍କ ରହିବାକୁ କର୍ତ୍ତୃପକ୍ଷ କହିଛନ୍ତି।