ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ: ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ କଟକ ସ୍ଥିର ଖାନନଗରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସଂପନ୍ନ ହୋଇଛି । ଡକ୍ଟର ଜୟନ୍ତ ମହାପାତ୍ରଙ୍କୁ ତାଙ୍କ ପୁତୁରା ମୁଖାଗ୍ନି ଦେଇଥିଲେ । ତାଙ୍କ ଶେଷକୃତ୍ୟ ସମୟରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ମହାନଗର ନିଗମର ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀଶଙ୍କର ଚଇନି, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ସାହିତ୍ୟିକ ଅମରେଶ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଉଭୟ ଇଂରାଜୀ ଓ ଓଡିଆ ଭାଷା ସାହିତ୍ୟରେ ଏକ ଯୁଗର ଅନ୍ତ ଘଟିଛି । ଅସୁସ୍ଥତା କାରଣରୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କବି ଡ.ମହାପାତ୍ରଙ୍କର ରବିବାର ୨୭ ତାରିଖ ରାତି ୯ଟାରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ।
ତାଙ୍କ ବିୟୋଗରେ ଉଭୟ ଇଂରାଜୀ ଓ ଓଡିଆ ଭାଷା ସାହିତ୍ୟରେ ଏକ ଯୁଗର ଅନ୍ତ ଘଟିଛି । ଡ. ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ କଟକସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ । ବିହାରର ପାଟଣା ବିଶ୍ୱବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୪୯ ମସିହାଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ୱରସ୍ଥିତ ବିଜେବି କଲେଜ, ବାଲେଶ୍ୱରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ ଓ ଶୈଳବାଳା ମହିଳା କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ । ୧୯୮୬ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଅବସର ନେଇଥିଲେ । ୧୯୬୦ ମସିହା ପରେ ସେ ଲେଖକୀୟ ଜୀବନ ଆରମ୍ଭ କରିଥିଲେ । ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟରେ ତାଙ୍କର ଅଗାଧ ଦକ୍ଷତା ଥିଲା । ଇଂରାଜୀ କବିତା ପାଇଁ ସେ ପ୍ରଥମ ଭାରତୀୟ କବି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୨୦୦୯ରେ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିଥିଲେ ।
ଏକଧାରରେ ଜଣେ ବିଶିଷ୍ଟ ଅନୁବାଦକ, ପତ୍ରିକା ସମ୍ପାଦକ, ସମାଲୋଚକ ଭାବେ ଜୟନ୍ତଙ୍କ ସୁଖ୍ୟାତି ଥିଲା । ଓଡ଼ିଶାରେ ଜନ୍ମିତ କବିଙ୍କ ମଧ୍ୟରେ ସେ ହିଁ ଏକମାତ୍ର କବି ଯିଏ ଇଂରାଜୀରେ ‘ରିଲେସନସିପ୍‌’ କବିତା ପୁସ୍ତକ ପାଇଁ ପ୍ରଥମ ଥର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇଥିଲେ । ଓଡ଼ିଶାର ମାଟି ଓ ମଣିଷର କଥାକୁ ସବୁବେଳେ ନିଜ ରଚନାରେ ଗୁରୁତ୍ୱ ପ୍ରଦାନ କରୁଥିଲେ । ନିଜ ଚାରିପାଖର ମଣିଷ ବିଶେଷକରି ଦଳିତ ଓ ନିଷ୍ପେଷିତ ଚରିତ୍ରକୁ ସେ ତାଙ୍କ କବିତାରେ ସର୍ବଦା ମର୍ଯ୍ୟାଦା ଦେଇଛନ୍ତି । ରାଜୁ ସୁଇପର ଏହାର ଏକ ନିଦର୍ଶନ । ଓଡ଼ିଆ ଅସ୍ମିତା, ଓଡ଼ିଶାର ସଂସ୍କୃତିକୁ ସାରା ବିଶ୍ୱରେ ପରିଚିତ କରାଇବାରେ ତାଙ୍କର ଭୂମିକା ଅତୁଳନୀୟ ।
ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକବାର୍ତ୍ତାରେ ସ୍ୱର୍ଗତ ମହାପାତ୍ରଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ଏବଂ କବି ଭାବେ ବର୍ଣ୍ଣନା କରିଛନ୍ତି । ଯଶସ୍ୱୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଟ୍ୱିଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ । ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଏହି ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ । ତାଙ୍କ ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ । କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାର କଥା କହିବା ଥିଲା ତାଙ୍କର ଅନନ୍ୟ କୃତୀ । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା । ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ସ୍ୱର୍ଗତ ମହାପାତ୍ର କେବଳ ରାଜ୍ୟ ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କବି ଭାବରେ ଖ୍ୟାତି ଅର୍ଜନ କରିଥିଲେ । ଇଂରାଜୀରେ ଲିଖିତ ତାଙ୍କର କବିତା ପୁସ୍ତକ ସାହିତ୍ୟ ଏକାଡେମି ପୁରସ୍କାର ପାଇବା ସହିତ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନେକ ପୁରସ୍କାର ପାଇ ସେ ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ତାଙ୍କର ମୃତ୍ୟୁ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି ।

Comments (0)
Add Comment