ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ମଙ୍ଗଳବାର ଲଘୁଚାପ ସୃଷ୍ଟି ହୋଇ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରିକରାଯାଇଛି । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି । ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷାହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ମଙ୍ଗଳବାର ରାୟଗଡା, କନ୍ଧମାଳ, ବୌଦ୍ଧ, ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ସୋନପୁର ଓ ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏଠାରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ୬ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୭ରେ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର ଓ ନୂଆପଡାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

Comments (0)
Add Comment