ଲିବ୍ୟା:ଭୂମଧ୍ୟସାଗରୀୟ ବାତ୍ୟା ଡାନିଏଲ୍ ପ୍ରଭାବରେ ଲିବ୍ୟାର ପୂର୍ବାଞ୍ଚଳରେ ୨ଟି ଡ୍ୟାମ୍ ଭୁଶୁଡ଼ି ପଡ଼ିବାରୁ ଲିବ୍ୟାର ପୂର୍ବରେ ଥିବା ବନ୍ଦର ସହର ଡର୍ନାର ମଧ୍ୟଭାଗରେ ୨୦ ଫୁଟରୁ ଅଧିକ ଉଚ୍ଚରେ ଜଳ ପ୍ରବାହିତ ହୋଇଥିଲା । ଏହି ଦୁର୍ଘଟଣା ଯୋଗୁଁହୋଇଥିବା ଭୟଙ୍କର ବନ୍ୟା ଯୋଗୁ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି । ତେବେ ମୃତ୍ୟୁ ସଂଖ୍ୟା ୨୦ ହଜାରରୁ ଅଧିକ ହୋଇପାରେ ବୋଲି ମଧ୍ୟ ସ୍ଥାନୀୟ ମେୟର ଆଶଙ୍କା କରିଛନ୍ତି । ମେୟର କହିଛନ୍ତି ଅନୁସନ୍ଧାନକାରୀ ଦଳ ଧ୍ୱଂସାବଶେଷ ମଧ୍ୟରୁ ଅଧିକ ମୃତଦେହ ପାଇଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଲିବ୍ୟାର ପୂର୍ବାଞ୍ଚଳରେ ଏହି ବନ୍ୟାରେ ଡର୍ନା ସହର ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବେଳେ ଉଦ୍ଧାରକାରୀମାନେ ବନ୍ୟା ଜଳ ଏବଂ ଅଳିଆ ଗଦାରେ ମୃତଦେହଗୁଡିକୁ ଖୋଜୁଛନ୍ତି । ଯଦି ମୃତ ଦେହ ଗୁଡିକୁ ତୁରନ୍ତ ଠାବ ନ କରାଯାଏ, ଆଗାମୀ ଦିନରେ ଏଥିଯୋଗୁ ମହାମାରୀ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ଅନ୍ୟ ପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଏଭଳି ପରିସ୍ଥିତିରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହାର ସଠିକ ଆକଳନ କରିବା କଷ୍ଟସାଧ୍ୟ ଅଟେ । ସହାୟତା ସଂସ୍ଥା ଏବଂ ସରକାରୀ ଅଧିକାରୀଙ୍କ ଆକଳନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୮ ହଜାର ଥିବା ବେଳେ ୧୦ ହଜାର ଲୋକ ନିଖୋଜ ଅଛନ୍ତି । ବନ୍ୟା ବିତ୍ପାତ ଘଟିଥିବା ଅଂଚଳରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ହିସାବକୁ ନେଲେ ସେଠାରେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଯିବା ଅନୁମାନ କରାଯାଉଛି । ଅଧିକାଂଶ ଲୋକ ବନ୍ୟା ପାଣିରେ ଭାସି ଯାଇଥିବା କୁହାଯାଉଛି ।