ଲକ୍ଷ୍ନୌ: ସାଧାରଣ ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ବଡ଼ ଘୋଷଣା । ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବ ବିଏସପି । ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟ ସହ ମିଶିବ ନାହିଁ ତାଙ୍କ ଦଳ । ତେବେ ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ପାଇଁ ବିକଳ୍ପ ଖୋଲା ରଖିଛନ୍ତି ମାୟାବତୀ । ସାଧାରଣ ନିର୍ବାଚନକୁ ନେଇ ‘ଇଣ୍ଡିଆ’ ମେଣ୍ଟ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡୁଥିବା ବେଳେ, ମାୟାବତୀଙ୍କ ଏକାକୀ ଲଢ଼ିବା ଘୋଷଣା ବିରୋଧୀ ଫ୍ରଣ୍ଟକୁ ଶକ୍ତ ଝଟକା ଦେଇଛି ।
ଲୋକସଭା ନିର୍ବାଚନକୁ ମାସ କେଇଟା ବାକି ଥିବା ବେଳେ, ପ୍ରାକ୍ ନିର୍ବାଚନୀ ମେଣ୍ଟ ସମ୍ଭାବନାରେ ବ୍ରେକ୍ ଲଗାଇଛନ୍ତି ମାୟାବତୀ । ମାୟାବତୀ କହିଛନ୍ତି, “୨୦୨୪ ନିର୍ବାଚନରେ ବିଏସପି କୌଣସି ଦଳ କିମ୍ବା ଗଠବନ୍ଧନ ସହ ପ୍ରାକ୍ ନିର୍ବାଚନୀ ମେଣ୍ଟ କରିବ ନାହିଁ । କାରଣ ଯେତେବେଳେ ବିଏସପି ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଛି, ସେତେବେଳେ ତାଙ୍କ ଦଳର ହିଁ ଅଧିକ କ୍ଷତି ହୋଇଛି । ତାଙ୍କ ଦଳର ଭୋଟ୍ ଅନ୍ୟ ଦଳକୁ ଚାଲି ଯାଇଛି । ଫଳରେ ମେଣ୍ଟ କରି ଲାଭ ହେବା ବଦଳରେ ତାଙ୍କ ଦଳ କ୍ଷତି ହିଁ ସହିଛି ।” ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ବିଏସସି ଉତ୍ତରପ୍ରଦେଶରେ କୌଣସି ଦଳ ସହ ମିଶି ଲଢ଼ିବ ନାହିଁ । ବିଏସପି ଏକାକୀ ନିର୍ବାଚନ ଲଢ଼ିବ ଏବଂ ନିର୍ବାଚନ ପରେ ଆବଶ୍ୟକ କ୍ଷେତ୍ରରେ ଗଠବନ୍ଧନ କରିବ । ଉତ୍ତରପ୍ରଦେଶରେ ପୂର୍ବ ନିର୍ବାଚନଗୁଡ଼ିକର ଉଦାହରଣ ଦେଇ ମାୟାବତୀ ଏହା କହିଛନ୍ତି ।
ପ୍ରାକ୍ ମେଣ୍ଟ କରି ନିର୍ବାଚନକୁ ଯାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ମାତ୍ର ମାୟାବତୀଙ୍କ ଘୋଷଣା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି । ମାୟାବତୀଙ୍କ ସୋଲୋ ଲଢ଼େଇ ଘୋଷଣା, ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା ଦେଇଥିବା ବେଳେ, ବିଜେପିକୁ ମାଇଲେଜ ଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।