ଶିମିଳିପାଳରେ ମହାବଳ ବାଘ ଶରୀରର ରଙ୍ଗ ହଳଦିଆ ରୁ ପାଲଟୁଛି କଳା

ବାରିପଦା: ଜୈବ ବିବିଧତା ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଶିମିଳିପାଳ ଅଭୟାରଣ୍ୟରେ ପ୍ରକୃତି ବିପରୀତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଶିମିଳିପାଳ ଅଭୟାରଣ୍ୟରେ ଥିବା ମହାବଳ ବାଘ ଏବେ ଚିନ୍ତାର କାରଣ ପାଲଟିଛନ୍ତି । ଏଠାରେ ପ୍ରାୟ ୨୦ରୁ ଅଧିକ ମହାବଳ ବାଘ ଅଛନ୍ତି ତେବେ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ଏକ ଅଜଣା କାରଣ ପାଇଁ ଏଠାରେ ଥିବା ମହାବଳ ବାଘମାନଙ୍କର ଶରୀରର ରଙ୍ଗ ହଳଦିଆରୁ କଳା ହୋଇଯାଉଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏଭଳି କିଛି ବାଘଙ୍କର ଫଟୋ ଉତ୍ତୋଳିତ ହୋଇଛି । ଏହି ଫଟୋ ଦେଖିବା ପରେ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ମଧ୍ୟ ଦ୍ୱନ୍ଦରେ ପଡିଛନ୍ତି । କୌଣସି ରୋଗ ସଂକ୍ରମଣ, ଜିନ୍‌ରେ ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ବାଘମାନଙ୍କର ଶରୀରର ସ୍ୱାଭାବିକ ରଙ୍ଗରେ ଏହି ପରିବର୍ତ୍ତନ ହେଉଛି ବୋଲି ଅନୁମାନ କରାଯାଉଛି । ଏପରି ପରିବର୍ତ୍ତନର କାରଣ ଖୋଜିବା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ।

ମହାବଳ ବାଘ ଶରୀରର ରଙ୍ଗ ହଳଦିଆ ହୋଇଥିବାବେଳେ ସେଥିରେ କଳା କଳା ପଟା ଭଳି ଚିହ୍ନ ରହିଥାଏ । କିନ୍ତୁ ନିକଟରେ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଚିତ୍ର ଶିମିଳିପାଳରେ ବିରଳ କଳାବାଘ ରହିଥିବା ଆଶାକୁ ଉଦ୍‌ଜୀବିତ କରୁଛି । ବ୍ୟାଘ୍ର ଗଣନା ପାଇଁ ଶିମିଳିପାଳ କୋର୍‌ ଏରିଆରେ ଲାଗିଥିବା କ୍ୟାମେରାରେ ବାଘମାନଙ୍କ ଯେଉଁ ଫଟୋ କଏଦ ହୋଇଛି ତାହା ମହାବଳ ନା କଳାବାଘ ସେ ନେଇ ଦ୍ୱନ୍ଦ୍ୱରେ ପଡିଛି ବନ ବିଭାଗ । କୌଣସି ଠୋସ୍‌ ପ୍ରମାଣ ମିଳିନଥିଲେ ମଧ୍ୟ ଶିମିଳିପାଳରେ ବିରଳ କଳାବାଘ ଥିବା ନେଇ ପ୍ରଥମେ ୧୯୮୭ ମସିହାରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହି ପରିବର୍ତ୍ତନର କାରଣ ଜାଣିବା ପାଇଁ ବେଙ୍ଗାଲୁରୁର ଏକ ବିଶେଷଜ୍ଞ ଦଳ ଶିମିଳିପାଳ ଆସି ଏଠାକାର ମହାବଳ ବାଘଙ୍କ ମଳ, ଆମ୍ପୁଡା ଦାଗ, ବାନ୍ତି ଆଦି ବିଭିନ୍ନ ନମୁନା ସଂଗ୍ରହ କରି ଅନୁଧ୍ୟାନ ଚଳାଇଛନ୍ତି । ଅସ୍ୱାଭାବିକ ପ୍ରଜନନ ଓ ଅନ୍ୟାନ୍ୟ କାରଣରୁ ବାଘଙ୍କ ରଙ୍ଗ ପରିବର୍ତ୍ତନ ହୋଇଥିବା ପୂର୍ବରୁ ନଜିର ରହିଛି । ନନ୍ଦନକାନନରେ ସେମିତି ଧଳାବାଘ ଜନ୍ମ ହୋଇଥିଲେ ବୋଲି କୁହାଯାଉଛି । ଏହି ପରିବର୍ତ୍ତନ କୌଣସି କାରଣରୁ ହୋଇଛି ନା ବିଶ୍ୱରେ କ୍ୱଚିତ୍‌ ଦେଖା ଯାଉଥିବା କଳାବାଘ ଶିମିଳିପାଳରେ ବଂଶବୃଦ୍ଧି କରିଛନ୍ତି, ସେ ସଂକ୍ରାନ୍ତରେ ସବିଶେଷ ସୂଚନା ଏହି ଘଟଣାର ଅଧିକ ଅନୁସନ୍ଧାନ ପରେ ଜଣାପଡିବ ବୋଲି ଆଶା ।

Comments (0)
Add Comment