ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଏହି ବସ୍ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ । ସେ କହିଥିଲେ ଯେ, ଲକ୍ଷ୍ମୀ ବସ୍ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍ ମାତ୍ର ୫ ଟଙ୍କା ରହିଛି । ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଲକ୍ଷ୍ମୀ ବସ୍ସେବା ଯୋଜନା ଅଧିନରେ ଏହି ବସ୍ ସେବା ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଏହି ଯୋଜନାରେ ଚଳାଚଳ କରିବ । ଗୁରୁବାର ପ୍ରଥମ ପର୍ୟ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା । ଏହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟବାସୀଙ୍କୁ ପୁରୀଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ସେବା ଆରମ୍ଭ ହୋଇଛି । ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ ।