କଲମ୍ବୋ: ଦମଦାର ପ୍ରଦର୍ଶନ ଫଳରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଦଳ ଭାବରେ ଏସିଆ କପ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ୍ରେ କେବଳ ବ୍ୟାଟ୍ସମ୍ୟାନ ନୁହଁନ୍ତି ବୋଲର ବି ହିରୋ ବୋଲି ପୁଣି ଥରେ ପ୍ରମାଣିତ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଭାରତ ମାତ୍ର ୨୧୩ ରନ୍ ସ୍କୋର୍ କରିଥିଲା । ଘରୋଇ ମାଟିରେ ଶ୍ରୀଲଙ୍କା ପାଇଁ ୨୧୩ ରନ୍ ଲକ୍ଷ୍ୟ ପାର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ ବୋଲି ମନେହେଉଥିଲେ ମଧ୍ୟ ଭାରତୀୟ ଦଳର ପେସ୍ ଓ ସ୍ପିନ୍ ଆକ୍ରମଣ ଆଗରେ ଶ୍ରୀଲଙ୍କା ଶେଷକୁ ହାର୍ ମାନିଥିଲା । ଏହି ମ୍ୟାଚ୍ରେ ରନ୍ କମ ହୋଇଥିଲା କିନ୍ତୁ ବୋଲିଂ ଦୃଷ୍ଟି କୋଣରୁ ରୋମାଞ୍ଚ କର ହୋଇଥିଲା ମ୍ୟାଚ୍ । ଭାରତ ପକ୍ଷରୁ ଶ୍ରୀଲଙ୍କା ଆଗରେ ୨୧୪ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ୱାଲାଲାଙ୍ଗେ ସର୍ବାଧିକ ୪୨ ରନ କରିଥିବାବେଳେ ଧନଞ୍ଜୟ ଡିସିଲଭା ୪୧ ରନ କରିଥିଲେ । ଶ୍ରୀଲଙ୍କା ୯୯/୬ରେ ସଂଘର୍ଷ କରିଥିବାବେଳେ ଧନଞ୍ଜୟ ଡି’ସିଲଭା ଓ ଦିମୁଥ ୱେଲାଲଗେ ସପ୍ତମ ୱିକେଟ୍ ପାଇଁ ୬୩ ରନ୍ ଭାଗୀଦାରି କରି ବିଜୟ ଆଶା ଉଜ୍ଜୀବିତ କରିଥିଲେ । ଡି’ସିଲଭାଙ୍କୁ ଆଉଟ୍ କରି ଜାଦେଜା ଏହି ଭାଗୀଦାରି ଭାଙ୍ଗିବା ପରେ ଭାରତ ବିଜୟ ପକ୍କା ହୋଇଯାଇଥିଲା । ପୂର୍ବ ରାତିରେ ପାକିସ୍ତାନ ବିପକ୍ଷରେ ୫ ୱିକେଟ୍ ନେଇଥିବା କୁଲଦୀପ ଯାଦବ ପୁଣି ୪ ୱିକେଟ୍ ନେଇ ଦଳର ବିଜୟକୁ ନିଶ୍ଚିତ କରିଥିଲେ । କୁଲଦୀପ ୪ ୱିକେଟ୍ ନେଇଥିବାବେଳେ ବୁମରା-ଜାଦେଜା ୨-୨ ଏବଂ ହାର୍ଦିକ-ସିରାଜ ୧-୧ ୱିକେଟ୍ ନେଇଥିଲେ । ୪୧ ରନ୍ ବ୍ୟବଧାନରେ ଭାରତ ଏହି ମ୍ୟାଚ୍ ଜିତିନେଇଥିଲା । ଅଲ୍ରାଉଣ୍ଡ୍ ପ୍ରଦର୍ଶନ କରିଥିବା ଯୁବ ଖେଳାଳି ଦିମୁଥ ୱେଲାଲଗେ (୫/୪୦ ଏବଂ ୪୨ଞ୍ଚ) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପାଇଥିଲେ । ।