ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ୍ ଅପ୍ ଅଭିଯାନର ଆପ୍ ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍ ଅପ୍ ଗାଡ଼ିକୁ ଫ୍ଲାଗ୍ ଅଫ୍ କରିଛନ୍ତି । ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ ଧରି ବୁଲିବ ଏହି ଷ୍ଟାର୍ଟ୍ ଅପ୍ ଯାତ୍ରା ଗାଡ଼ି । ତୃଣମୂଳସ୍ତରରେ ପିଲାମାନଙ୍କୁ ଉତ୍ସାହିତ କରିବା ଏବଂ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍ ନର୍ମାଣ ଲକ୍ଷ୍ୟ ହାସଲ କରିବା ପାଇଁ ସେମାନଙ୍କ ଭିତରେ ଔଦ୍ୟୋଗିକତାର ମନୋଭାବ ସୃଷ୍ଟି ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ୨୬୦ ଶିକ୍ଷାନୁଷ୍ଠାନର ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଛି ଷ୍ଟାର୍ଟଅପ୍ ଓଡ଼ିଶାର ୪ଟି ଉତ୍ସର୍ଗୀକୃତ ଭ୍ୟାନ୍ । ଏହା ୩୦ଟି ଜିଲ୍ଲା ବୁଲିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଏମ୍ଏସ୍ଏମ୍ଇ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ର୍ନିେଶକ ଡ. ଓଁକାର ରାୟ ଉପସ୍ଥିତ ଥିଲେ ।
ଷ୍ଟାର୍ଟଅପ୍ ଯାତ୍ରାରୁ ୫୦ଟି ମନୋନୀତ ଚିନ୍ତାଧାରାକୁ ୩ ଦିନିଆ କାର୍ଯ୍ୟକ୍ରମ ପାଇଁ ଚୟନ କରାଯିବ । ଏହାପରେ ଶ୍ରେଷ୍ଠ ୨୫ଟି ଚିନ୍ତାଧାରାକୁ ଓ-ହବ୍କୁ ଡେମୋ ଡେ’ ପାଇଁ ଡକାଯିବ । ଏଥିମଧ୍ୟରୁ ୧୦ଟି ଚିନ୍ତାଧାରାକୁ ଷ୍ଟାର୍ଟଅପ୍ ଉଦ୍ୟୋଗରେ ବିକଶିତ କରିବାକୁ ପ୍ରତ୍ୟେକଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ଫଣ୍ଡିଂ ଦିଆଯିବ । ସେହିପରି ଷ୍ଟାର୍ଟଅପ୍ ଏକ୍ସପ୍ରେସ୍-୨୦୨୩ର ଶୀର୍ଷ ୨୦ ଚିନ୍ତାଧାରାକୁ ଆମନ୍ତ୍ରଣ କରାଯିବ । ଯେଉଁଥିରୁ ୧୦ଟିକୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ଷ୍ଟାର୍ଟଅପ୍ ଓଡ଼ିଶା ଆରମ୍ଭ ହେବା ଦିନଠାରୁ ୧୭୦୦ରୁ ଅଧିକ ଷ୍ଟାର୍ଟଅପ୍କୁ ସହାୟତା ପ୍ରଦାନ କରାଗଲାଣି । ଏଥିମଧ୍ୟରେ ମହିଳାଙ୍କ ନେତୃତ୍ୱରେ ୬୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛି । ଏହାଦ୍ୱାରା ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଷ୍ଟାର୍ଟଅପ୍ଗୁଡ଼ିକ ଦ୍ୱାରା ୩୫୦.୪୨ କୋଟି ଟଙ୍କା ରାଜସ୍ୱ ସୃଷ୍ଟି ହୋଇଥିଲା ।