ସଂସଦୀୟ ଆଚରଣ ବିଧି ଉଲ୍ଲଂଘନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ଷମା ମାଗିଲେ

ଲଣ୍ଡନ: ସଂସଦୀୟ ଆଚରଣ ବିଧି ଉଲ୍ଲଂଘନ ମାମଲାକୁ ନେଇ ପୁଣି ଥରେ ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିବା ପରଠାରୁ ଚର୍ଚ୍ଚା ଋଷି ସୁନକ୍‌ଙ୍କ ପିଛା ଛାଡୁନାହିଁ । ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ବ୍ୟବସାୟଗତ କାରଣ ଯୋଗୁଁ ଏଥର ସୁନକ ସଂସଦରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ମାମଲା ନେଇ ସୁନକଙ୍କୁ ତାଙ୍କ ବିରୋଧୀମାନଙ୍କର କଡା ସମାଲୋଚନାର ଶୀକାର ହେବାକୁ ପଡିଛି । ଭାରତର ପ୍ରତିଷ୍ଠିତ ଶିଳ୍ପପତି ଓ ଇନଫୋସିସ୍ତ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କର ଝିଅ ତଥା ସୁନକଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ବ୍ୟବସାୟ ଓ ଲାଭକୁ ନେଇ ଋଷି ସୁନକ ସଠିକ୍‌ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବାରୁ ତାଙ୍କୁ ଘୋର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।
ସଂସଦୀୟ ଯାଞ୍ଚ କମିଟିକୁ ପତ୍ନୀଙ୍କ ଲାଭାଂଶ ସଂପର୍କରେ ଯେଉଁ ତଥ୍ୟ ସୁନକ ପ୍ରଦାନ କରିଥିଲେ ତାହା ବିଭ୍ରାନ୍ତିକର ଏବଂ ଅନେକ ରେକର୍ଡରେ ତାଳମେଳ ରହୁନାହିଁ ବୋଲି ସଂସଦୀୟ କମିଟି ଜଣାଇଥିଲା । ଏହାକୁ ନେଇ ବିରୋଧୀ ଦଳ ସୁନକଙ୍କୁ ଘେରିଥିଲା ଏବଂ ସଠିକ୍‌ ତଥ୍ୟ ଉପସ୍ଥାପନ ସହିତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲା । ତେବେ ସୁନକ କହିଛନ୍ତି ଯେ ସେ ଜାଣିଶୁଣି କୌଣସି ଭୁଲ୍‌ ତଥ୍ୟ ପ୍ରଦାନ କରିନାହାନ୍ତି । ସଂସଦୀୟ ଆଚରଣ ବିଧି ଓ ଯାଞ୍ଚ କମିଟିର ମତକୁ ସମ୍ମାନ ଦେଇ ମୁଁ କ୍ଷମା ପ୍ରାର୍ଥନା କରିଛି ବୋଲି ସୁନକ କହିଛନ୍ତି ।

Comments (0)
Add Comment