ନୂଆଦିଲ୍ଲୀ: ମାନବ ଯାତ୍ରା କରିପାରୁଥିବା କ୍ଷୁଦ୍ର ବୁଡାଜାହାଜ ନିର୍ମାଣ କରିବା ଭାରତର ବୈଜ୍ଞାନିକମାନେ ସଫଳ ହୋଇଛନ୍ତି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ମତ୍ସ୍ୟ’ର ବ୍ୟବହାରିକ ପରୀକ୍ଷଣ ଖୁବ୍ଶୀଘ୍ର ଚେନ୍ନାଇ ଉପକୂଳରେ କରାଯିବ ବୋଲି ଜଣାପଡିଛି । ଆମେରିକା, ରୁଷ୍, ଜାପାନ, ଫ୍ରାନ୍ସ ଓ ଚୀନ୍ କେବଳ ମାନବ ଯାତ୍ରା କରିପାରୁଥିବା ଏହି ଧରଣର କ୍ଷୁଦ୍ର ବୁଡାଜାହାଜ ନିର୍ମାଣ କରିବାରେ ସମର୍ଥ ଥିଲେ । ‘ମତ୍ସ୍ୟର’ ପରୀକ୍ଷା ସଫଳ ହେଲେ ଭାରତ ମଧ୍ୟ ଏହି ଦେଶମାନଙ୍କ ତାଲିକାରେ ସାମିଲ ହେବ । ‘ମତ୍ସ୍ୟ’ସମୁଦ୍ର ମଧ୍ୟରୁ ମୂଲ୍ୟବାନ୍ ଧାତୁ ସହ କୋବାଲ୍ଟ୍, ନିକେଲ୍ ଓ ମାଙ୍ଗାନିଜ୍ ଭଳି ଖଣିଜ ପଦାର୍ଥର ସନ୍ଧାନ କରିପାରିବ । ଭାରତୀୟ ବୈଜ୍ଞାନିକମାନେ ‘ସମୁଦ୍ରଯାନ ପ୍ରକଳ୍ପ’ରେ ବଙ୍ଗୋପସାଗରର ୬୦୦୦ ମିଟର୍ ଗଭୀରକୁ ‘ମତ୍ସ୍ୟ’ ନାମକ କ୍ଷୁଦ୍ର ବୁଡାଜାହାଜ ପଠାଇବେ ଏବଂ ଏଥିରେ ୩ଜଣ ଲୋକ ମଧ୍ୟ ଯାଇପାରିବେ । ସ୍ୱଦେଶୀ ଜ୍ଞାନକୌଶଳରେ ୨ ବର୍ଷ ହେଲା ଏହାର ନିର୍ମାଣ ଚାଲିଥିବାବେଳେ ‘ମତ୍ସ୍ୟ ’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ରେ କରାଯିବ ।
‘ଟାଇଟାନିକ୍’ ଭଗ୍ନାଂଶ ପରିଦର୍ଶନ କରାଇବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଇଥିବା କ୍ଷୁଦ୍ର ବୁଡାଜାହାଜ ‘ଟାଇଟନ୍’ ସଙ୍କୁଚିତ ହୋଇ ଫାଟିବା ଘଟଣା ପରେ ସମ୍ପ୍ରତି ବୈଜ୍ଞାନିକମାନେ ‘ମତ୍ସ୍ୟ’ର ଡିଜାଇନ୍କୁ ଭଲଭାବେ ନିରୀକ୍ଷଣ କରୁଛନ୍ତି । ମତ୍ସ୍ୟ’କୁ ନିର୍ମାଣ କରିଥିବା ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ଓସେନ୍ ଟେକ୍ନୋଲୋଜି’ର (ନିଅଟ୍) ବୈଜ୍ଞାନିକମାନେ ଏହାର ଡିଜାଇନ୍, ନିର୍ମାଣରେ ବ୍ୟବହୃତ ସାମଗ୍ରୀ, ପରୀକ୍ଷା, ପ୍ରାମାଣିକତା ଆଦି ସମୀକ୍ଷା କରିଛନ୍ତି । ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରବିଚନ୍ଦ୍ରନ୍ କହିଛନ୍ତି, ‘ଗଭୀର ସମୁଦ୍ର ଅଭିଯାନ’ର ଅଂଶ ଭାବେ ‘ସମୁଦ୍ରଯାନ ଅଭିଯାନ’ ଚାଲିଛି । ୨୦୨୪ର ପ୍ରଥମ ୩ ମାସ ମଧ୍ୟରେ ଆମେ ୫୦୦ ମିଟର୍ ଗଭୀର ସମୁଦ୍ରରେ ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷଣ କରିବୁ । ୨୦୨୬ରେ ଏହି ଅଭିଯାନ ସାକାର ହେବ ବୋଲି ଆଶା କରାଯାଉଛି ।