ସମ୍ଭାବ୍ୟ ଭୂମିକମ୍ପ ଆକଳନ କରିବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ

ଭୂମିକମ୍ପ ଗତିବିଧିର ବିସ୍ତୃତ ତଥ୍ୟ ଅଧ୍ୟୟନ କରି ସମ୍ଭାବ୍ୟ ଭୂକମ୍ପସ୍ଥଳ ସମ୍ପର୍କରେ ‘ଏଆଇ’ ଆକଳନ କରିପାରିବ ବୋଲି ଅଷ୍ଟିନ୍‌ ସ୍ଥିତ ଟେକ୍ସାସ ବିଶ୍ବବିଦ୍ୟାଳୟର ଗବେଷକମାନେ କହୁଛନ୍ତି। ଏପରିକି ସପ୍ତାହକ ଆଗରୁ ଭୂମିକମ୍ପ ସମ୍ପର୍କରେ ‘ଏଆଇ’ ୭୦ ପ୍ରତିଶତ ନିର୍ଭୁଲ ପୂର୍ବାନୁମାନ କରିପାରିବ ବୋଲି ଏହି ଗବେଷକମାନେ ଦାବି କରିଛନ୍ତି। ଚୀନ୍‌ରେ ଦୀର୍ଘ ସାତ ମାସର ଅନୁଧ୍ୟାନ ପରେ ଗବେଷକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ସେଠାରେ ସେମାନଙ୍କ ‘ଏଆଇ’ ପ୍ରଣାଳୀ ୩୨୧ କି.ମି. ଭିତରେ ୧୪ଟି ଭୂମିକମ୍ପର ଅବସ୍ଥିତି ଆକଳନ କରିବାରେ ସକ୍ଷମ ହୋଇଥିଲା। ଭୂକମ୍ପର ପ୍ରକୃତ ଆଘାତସ୍ଥଳ ଓ ତୀବ୍ରତା ବାବଦରେ ମଧ୍ୟ ‘ଏଆଇ’ ସଠିକ୍‌ ନିରୂପଣ କରିପାରିଥିଲା। ଅବଶ୍ୟ ‘ଏଆଇ’ର ଏହି ପୂର୍ବାନୁମାନରେ ଆଠଟି ଭୁଲ୍‌ ସତର୍କ ରହିଥିଲା ଏବଂ ଗୋଟିଏ ଭୂମିକମ୍ପ ଛାଡ଼ି ହୋଇଯାଇଥିଲା। ଭୂମିକମ୍ପର ସଠିକ୍‌ ପୂର୍ବାନୁମାନ କରିବା ବୈଜ୍ଞାନିକଙ୍କ ପାଇଁ ଏକ ବଡ଼ ଆହ୍ବାନ ହୋଇ ରହିଛି। ତେବେ ସେ ଦିଗରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ବିଶେଷ ସହାୟକ ହୋଇପାରିବ ବୋଲି ଆଶା ସଂଚାର ହୋଇଛି।ଏହାଦ୍ବାରା କିଛି ପରିମାଣର ଆର୍ଥିକ ତଥା ମାନବୀୟ କ୍ଷତିକୁ ଏଡ଼ାଇ ଦିଆଯାଇପାରିବ ଏବଂ ବିଶ୍ବବ୍ୟାପୀ ଭୂକମ୍ପ ପ୍ରସ୍ତୁତିରେ ସୁଧାର ଅଣାଯାଇପାରିବ ବୋଲି ଗବେଷକଙ୍କ ମତ। ବର୍ତ୍ତମାନ ଗବେଷକମାନେ ଇଟାଲି, ଜାପାନ, ଗ୍ରିସ, ତୁର୍କୀ ଓ ଆମେରିକାର ସମ୍ଭାବ୍ୟ ଉଚ୍ଚ ଭୂମିକମ୍ପପ୍ରବଣ ଅଞ୍ଚଳରେ ସେମାନଙ୍କ ‘ଏଆଇ’ ମଡେଲ୍‌କୁ ପରୀକ୍ଷା କରିବାକୁ ଯାଉଛନ୍ତି।

Comments (0)
Add Comment