ସରଗରମ୍ ହେଉଛି ଉପନିର୍ବାଚନ ପ୍ରଚାର । ମୈଦାନରେ ହେଭିୱେଟ,୨୩ରେ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଉପନିର୍ବାଚନ ପ୍ରଚାର ମଇଦାନରେ ଜୋରଦାର ଲଢେଇ । ତିର୍ତୋଲ-ବାଲେଶ୍ୱର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ପ୍ରଚାର ମଇଦାନରେ ଲଢେଇ ସେତିକି ଜୋରଦାର ହେଉଛି । ଗାଦି ହାତେଇ ସ୍ୱାଭିମାନ ବଂଚେଇବା ପାଇଁ ଗାଁ ଗାଁରେ ବୁଲୁଛନ୍ତି ନେତା ମନ୍ତ୍ରୀ । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାଶ ନିଜେ ମୈଦାନକୁ ଓହ୍ଲାଇ ଡୋର ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି । ତାଙ୍କ ପାଇଁ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ପ୍ରଚାର କରୁଛନ୍ତି । ସମସ୍ତେ ଭିନ୍ନ ଭିନ୍ନ ଉପାୟ ଓ କୌଶଳରେ ଭୋଟରଙ୍କୁ ମନେଇବାକୁ କରୁଛନ୍ତି ଉଦ୍ୟମ ।

ସେପଟେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ସମୀର ମହାନ୍ତି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ଦଳୀୟ ନେତା ପ୍ରଚାର କରୁଛନ୍ତି । ସେହିପରି ଆସନ୍ତା ୨୩ରେ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ୨୩ରେ ତିର୍ତୋଲ ଓ ୨୪ରେ ବାଲେଶ୍ୱରରେ ପ୍ରଚାର କରିବେ । ସଭା ଓ ରୋଡ ସୋ ପରି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ପ୍ରଚାର ବେଳେ ରାଜ୍ୟ ସରକାରଙ୍କ ଉପରେ କଠୋର ଆଭିମୁଖ୍ୟ ରହିବ । ସେହିପରି ପର୍ଯ୍ୟାୟକ୍ରମେ ଅନ୍ୟ ତାରକା ପ୍ରଚାରକ ମୈଦାନକୁ ଓହ୍ଲାଇବେ । ୨୨ରେ ତିର୍ତୋଲରେ ପ୍ରଚାର କରିବେ ସାଂସଦ ସୁରେଶ ପୁଝାରୀ । । ସେହିପରି ୨୬ ଓ ୨୭ରେ ପ୍ରଚାର ମୈଦାନକୁ ସାଂସଦ ଅପରାଜିତା ଷଡଙ୍ଗୀ,ବରିଷ୍ଠ ନେତା କେଭି ସିଂଦେଓ ଓ ଖାରବେଳ ସ୍ୱାଇଁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାକ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।

Comments (0)
Add Comment