ସାଂସଦ ଓ ବିଧାୟକଙ୍କ ବିରୋଧରେ ହେବ ତ୍ବରିତ ଶୁଣାଣି

କଟକ: ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ପଡ଼ିରହିଥିବା ବିଚାରଧୀନ ମାମଲାର ତ୍ବରିତ ଶୁଣାଣି ହେବ । ୪୨୩  ଫୌଜଦାରୀ ମାମଲାର ବିଚାର ପାଇଁ ରାଜ୍ୟ ସରକାରଙ୍କ କ’ଣ ପଦକ୍ଷେପ ନେଇଛନ୍ତି, ସେସବୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଦ୍ବାରା ନିଜ ଆଡ଼ୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ସୁଦ୍ଧା ରାଜ୍ୟ ସରକାର ଏହା ଉପରେ ସତ୍ୟପାଠ ଦାଖଲ କରିବେ । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବିଭିନ୍ନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ପ୍ରତ୍ୟେକ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ଅନୁସାରେ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । କୋର୍ଟ ଏହି ମାମଲାର ଶୁଣାଣି ଅବସରରେ ପ୍ରତ୍ୟେକ ଜିଲ୍ଲା ଜଜ୍‌ କୋର୍ଟଙ୍କୁ ସେମାନଙ୍କ ଅଧୀନରେ ଥିବା ଏହିସବୁ ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ପୂର୍ବ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ପ୍ରତ୍ୟେକ ମାସର ତିନି ତାରିଖ ସୁଦ୍ଧା ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ବିଭିନ୍ନ ମାମଲାର ଷ୍ଟାଟସ୍‌ କ’ଣ ରହିଛି ସେ ସଂକ୍ରାନ୍ତରେ ମଧ୍ୟ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଅଦାଲତ କେଉଁ ମାମଲାର କେବେ ଶୁଣାଣି କରିବେ ସେ ନେଇ ମଧ୍ୟ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ।

ନିର୍ଦ୍ଦେଶନାମା ଅନୁସାରେ, ଯେଉଁ ମାମଲାରେ କାହାରି ବିରୋଧରେ ମୃତ୍ୟୁ ଦଣ୍ଡାଦେଶ କିମ୍ବା ଆଜୀବନ କାରାଦଣ୍ଡର ଦଫା ଲାଗିଥିବ ସେହିସବୁ ମାମଲାକୁ ପ୍ରାଥମିକତା ଭିତ୍ତିରେ ଗୁରୁତ୍ୱ ଦେଇ ବିଚାର କରିବାକୁ କୁହାଯାଇଛି । ଯେଉଁ ମାମଲାରେ ୫ରୁ ୧୦ ବର୍ଷ ପର୍ୟ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ସେହିସବୁ ମାମଲାର ଏହା ପରକୁ ଶୁଣାଣି ପାଇଁ ଧାର୍ୟ୍ୟ କରାଯିବ । ଅନ୍ୟସବୁ ମାମଲାର ପର୍ୟ୍ୟାୟ କ୍ରମେ ଶୁଣାଣି ପାଇଁ ଧାର୍ୟ୍ୟ କରାଯିବ । ଏହିସବୁ ମାମଲାର ଶୁଣାଣି ବେଳେ ବିଭିନ୍ନ ପକ୍ଷଙ୍କୁ ଅଯଥାରେ ସମୟ ନଦେବା ଲାଗି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ଗଠନ ହୋଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ମଧ୍ୟ ହାଇକୋର୍ଟ ଜିଲ୍ଲା ଜଜ୍‌ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଏହିସବୁ ମାମଲାର କିପରି ତ୍ୱରିତ ଶୁଣାଣି ହୋଇପାରିବ ସେଥିପାଇଁ ଆବଶ୍ୟକ ଟେକ୍ନୋଲୋଜିର ସହାୟତା ନେବାକୁ ମଧ୍ୟ କୁହାଯାଇଛି । ଏହି ଆଦେଶ ପରେ ଆଜି ମାମଲାର ଶୁଣାଣି ହୋଇଥିଲା । ବିଭିନ୍ନ ଜିଲ୍ଲାଜଜ୍‌ କୋର୍ଟଙ୍କ ପକ୍ଷରୁ ଏହିଭଳି କେତେ ମାମଲାର ବିଚାରାଧୀନ ରହିଛି ସେ ସଂକ୍ରାନ୍ତରେ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରାଯାଇଥିଲା । ତେଣୁ ଏଥିରେ ସରକାରଙ୍କ ସହଯୋଗ ନେଇ ଶୁଣାଣି ହୋଇଥିଲା । ତ୍ୱରିତ ଶୁଣାଣି ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଜଣାଇବା ପାଇଁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment