ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଆଜି ଭୟଙ୍କର ସାମୁଦ୍ରିକ ଝଡ ଲୋକଙ୍କ ପାଇଁ ବିପର୍ଯ୍ୟୟ ଆଣିଛି । ଇଡାଲିଆ ନାମକ ପ୍ରାୟ ୧୬ ଫୁଟ୍ (୫ମିଟରରୁ ଅଧିକ) ଉଚ୍ଚ ଜୁଆର ସହ ଘଣ୍ଟା ପ୍ରତି ପ୍ରାୟ ୧୨୫ ମାଇଲ (୨୧୫ କିଲୋମିଟର) ପବନ ବେଗରେ ଏହି ହରିକେନ ସ୍ଥଳଭାଗ ଛୁଇଁଥିବା ଜଣାପଡିଛି । ଏହି କ୍ୟାଟେଗୋରି-୩ ବର୍ଗରେ ଆସିଥିବା ସାମୁଦ୍ରିକ ଝଡ ଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଝଡ ଯୋଗୁ ପ୍ରାୟ ୨ ଲକ୍ଷ ଲୋକଙ୍କ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି । ଉପକୂଳ ସହରଗୁଡିକରେ ଅନେକ ଘରେ ପାଣି ପଶିଯାଇଛି । ଗଛ ଉପୁଡି ପଡିଛି । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସାମୁଦ୍ରିକ ଝଡ ଦୁର୍ବଳ ହୋଇ କ୍ୟାଟେଗୋରି ୧ରେ ପରିଣତ ହୋଇସାରିଛି । ଝଡ ଯୋଗୁ ବୁଧବାର ଆମେରିକାରେ ଏୟାରଲାଇନ୍ସଗୁଡିକ ୮୫୦ରୁ ଅଧିକ ବିମାନ ଉଡାଣ ବାତିଲ କରିଛନ୍ତି । ଏଥିସହିତ ୭୯୫ଟି ବିମାନର ଉଡାଣ ବିଳମ୍ବ ହୋଇଛି । ତାମ୍ପା, କ୍ଲିୟରୱାଟର ଏବଂ ଟଲାହାସି ବିମାନ ବନ୍ଦର ବନ୍ଦ ରହିଛି । ରାସ୍ତାଗୁଡିକ ପାଣିରେ ବୁଡିଯାଇଛି । ନ୍ୟାସନାଲ ଗାର୍ଡର ୫୫୦୦ରୁ ଅଧିକ ସଦସ୍ୟ ଏବଂ ୫୮୦ରୁ ଅଧିକ ଉଦ୍ଧାରକାରୀ ଟିମ୍କୁ ମୁତୟନ କରାଯାଇଛି ।