ସୁନ୍ଦରଗଡ଼ରେ ପୁଣି ୬ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ

ସୁନ୍ଦରଗଡ: ସୁନ୍ଦରଗଡରେ ଆଉ ୬ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ରବ ଟାଇଫସ୍‌ ରୋଗ ଚିନ୍ତାର କାରଣ ହୋଇଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ ୨୦୬ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ଗତକାଲି ୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରବିବାର ୧୧ ଓ ସୋମବାର ୩ ରୋଗୀ ଚିହ୍ନଟ ହୋଇଥିଲେ । ଠିକ୍‌ ସେହିପରି ମଙ୍ଗଳବାର ଦିନ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହା ସହ ସଂଖ୍ୟା୨୦୬ରେ ପହଞ୍ଚିଛି । ଗତକାଲି ଯାଏ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ଅନ୍ୟ ରାଜ୍ୟର ହୋଇଥିବା ବେଳେ ୯ ଜଣ ଅନ୍ୟ ଜିଲ୍ଲାର ରହିଛନ୍ତି । ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ନେଇ ସିଡିଏମଓ ସୁଚନା ଦେଇଛନ୍ତି । ତେବେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇଛି । ସ୍କ୍ରବ୍‌ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓପିଏଚ୍‌ଓ ଡ. କାହ୍ନୁଚରଣ ନାୟକ କହିଛନ୍ତି । ଅନ୍ୟପଟେ ଆଶା, ଅଙ୍ଗନବାଡିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି ।

Comments (0)
Add Comment