ସୂର୍ଯ୍ୟ ମିଶନ: ଆଦିତ୍ୟ-ଏଲ୍‌ ୱାନ୍‌ର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ

ବେଙ୍ଗାଲୁରୁ: ଐତିହାସିକ ଚନ୍ଦ୍ର ମିଶନର ସଫଳତା ପରେ ଆଜି ଭାରତର ଏହାର ସୂର୍ଯ୍ୟ ମିଶନ ଆରମ୍ଭ କରିଛି । ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚ ପ୍ୟାଡରୁ ପିଏସ୍‌ଏଲଭି-ସି୫୭’ ରକେଟ୍‌ ଯୋଗେ ଦିନ ୧୧ଟା ୫୦ରେ ଉତ୍‌କ୍ଷେପଣ କରାଯାଇଛି । ଭାରତର ଏହି ପ୍ରଥମ ସୌର ଅଭିଯାନର ଉତ୍‌କ୍ଷେପଣ ସଫଳ ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଦିତ୍ୟ ଏଲ-୧ ମହାକାଶ ଯାନ ଉତକ୍ଷେପଣ ପାଇଁ ପିଏସ୍‌ଏଲ୍‌ଭି-ସି୫୭ ରକେଟ୍‌ ବ୍ୟବହାର କରାଯାଇଛି । ସୌର ବାୟୁମଣ୍ଡଳ ଓ ସୌର ବାତାବରଣ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌ ୱାନ୍‌ର ଉତ୍‌କ୍ଷେପଣ କରାଯାଇଛି । ଏହି ମହାକାଶ ଯାନକୁ ଇସ୍ରୋ ପୃଥିବୀଠାରୁ ୧.୫ ନିୟୁତ କିମି ଉଚ୍ଚ଼ରେ ସ୍ଥାପନ କରିବାକୁ ଯୋଜନା କରିଛି । ଏହାଦ୍ୱାରା ସୂର୍ଯ୍ୟର ଫଟୋସ୍ଫିୟର, କ୍‌ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ଭାରତ ତଥ୍ୟ ହାସଲ କରିବ । ଏହି ସୌରଯାନ ସମ୍ପୂର୍ଣ୍ଣରୂପେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଆଦିତ୍ୟ-ଏଲୱାନ୍‌ ମହାକାଶ ଯାନରେ ମୋଟ ୭ଟି ପେଲୋଡ ରହିଛି । ଇଲେକ୍‌ଟ୍ରୋମ୍ୟାଗନେଟିକ୍‌ ପାର୍ଟିକଲ ଏବଂ ମ୍ୟାଗନେଟିକ୍‌ ଫିଲ୍ଡ ଡିଟେକ୍ଟରକୁ ଏଥିପାଇଁ ଉପଯୋଗ କରାଯିବ । ୭ଟି ପେଲୋଡ ମଧ୍ୟରୁ ୪ଟି ପେଲୋଡ୍‌ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରିବାକୁ ଥିବାବେଳେ ୩ଟି ପେଲୋଡ୍‌ ଏଲ୍‌ ୱାନ୍‌ ଉପରେ ପରୀକ୍ଷାନିରୀକ୍ଷା କରିବ ।

Comments (0)
Add Comment