ହବିଷ୍ୟାଳୀ ଯୋଜନା, ୩ରୁ ନାମ ପଞ୍ଜୀକରଣ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ୟ୍ୟକାରୀ କରାଯାଉଛି। କୋଭିଡ଼ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହି ଯୋଜନା ବନ୍ଦ ରହିଥିଲା ବେଳେ ପୁନର୍ବାର ଗତବର୍ଷଠାରୁ ଏହା ଆରମ୍ଭ ହୋଇଛି। ୨୦୨୨ରେ ପ୍ରାୟ ୩ ହଜାର ହବିଷ୍ୟାଳୀ ମା’ମାନେ ଶ୍ରୀକ୍ଷେତ୍ରରେ ରହି ଖୁସିର ସହ କାର୍ତ୍ତିକ ବ୍ରତ ଶେଷ କରି ଫେରିଥିଲେ। ଏ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମୁଖ୍ୟତଃ ହବିଷ୍ୟାଳୀ ମା’ମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ତେଣୁ ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆଗ୍ରହୀ ମା’ମାନେ ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ ଅନ୍‌‌ଲାଇନ ଲିଙ୍କ୍‌‌ https://edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍‌‌ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଯଦି କେହି ଅଫ୍‌‌ଲାଇନରେ ଆବେଦନ ଦିଅନ୍ତି ତେବେ କାର୍ୟ୍ୟାଳୟ ପକ୍ଷରୁ ଏହାକୁ ଅନ୍‌‌ଲାଇନରେ ଆବେଦନ ବ୍ୟବସ୍ଥା କରାଯିବ। ତେବେ ଏହି ଯୋଜନା ସମ୍ପର୍କରେ ଅଧିକ କୌଣସି ସୂଚନା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ (୯୬୯୨୭୨୦୫୯୪), ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (୯୪୩୭୩୦୨୬୧୮), ଜିଲ୍ଲା କ୍ରୀଡ଼ା ଅଧିକାରୀ (୭୭୩୫୫୧୭୪୮୨) ନମ୍ବରକୁ ଯୋଗାଯୋଗ କରିପାରିବେ।

Comments (0)
Add Comment