ଯାଜପୁର : ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାକୁ ସରକାର ମିଶନ ଶକ୍ତିକୁ ଅଧିନରେ ଅନେକ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି । ମହିଳାଙ୍କୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଓଡିଶା ସରକାରଙ୍କ ଏଭଳି ଅଭିନବ ଉଦ୍ୟମ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଯାଜପୁର ଜିଲ୍ଲାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ମିଶନ ଶକ୍ତି ଭବନ ଖୋଲାଯାଇଛି । ଯେଉଁଠି ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଛି ।
ତେବେ ମିଶନ ଶକ୍ତି ପକ୍ଷରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିର ପରିସରରେ ଏକ କାଫେ ଖୋଲାଯାଇଛି । ଜିଲ୍ଲା ମହିଳା ମହାସଂଘ ଦ୍ୱାରା ପରିଚାଳିତ ଏହି କାଫେରେ ସୁସ୍ୱାଦୁ ଖାଦ୍ୟର ସହିତ ଗ୍ରାହକଙ୍କୁ ପଞ୍ଚତାରକା ହୋଟେଲର ଅନୁଭବ ଦେଉଛି । ଏହି କାଫେରୁ ଉପାର୍ଜିତ ଅର୍ଥରେ ଜିଲ୍ଲା ମହିଳା ମହାସଂଘ ମହିଳା ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି । ପ୍ରତିଦିନ ମା’ ବିରଜାଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଶ୍ରଦ୍ଧାଳୁ ଏଠାକୁ ଆସୁଥିବାବେଳେ ଏହି କାଫେର ସ୍ୱାଦ ଚାଖି ଖୁସି ଅନୁଭବ କରୁଛନ୍ତି । ବିଶେଷକରି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧାକୁ ଲକ୍ଷ୍ୟ କରି ମଧ୍ୟାହ୍ନ ସମୟରେ ସାଦା ଥାଳିର ବ୍ୟବସ୍ଥା ହୋଇଛି । ପ୍ରତିଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ଖୋଲାଯାଇଥିବା ମିଶନ ଶକ୍ତି କାଫେରେ ବାତାବରଣ ଓ ଖାଦ୍ୟ ତଥା ଆନୁଷଙ୍ଗିକ ବ୍ୟବସ୍ଥା ଦେଖିବା ପରେ ପଞ୍ଚତାରକା ହୋଟେଲର ଅନୁଭବ ପାଉଛନ୍ତି ଗ୍ରାହକ । ଏଠାରେ ରହିବା ନିମନ୍ତେ ମଧ୍ୟ ଅତ୍ୟାଧୁନିକ କୋଠରିର ବ୍ୟବସ୍ଥା ହୋଇଛି । ଯେଉଁଠି ରହି ଯାଜପୁର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିବାର ସୁଯୋଗ ପାଇପାରିବେ ଲୋକେ ।