ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୂଳ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟର ପରିମାଣ ୨୮୨୦୦ କୋଟି ଟଙ୍କା ରହିଛି । ଫଳରେ ୨୦୨୩-୨୪ ଆର୍ଥିକ ବର୍ଷର ମୋଟ ବଜେଟ ଆକାର ୨ ଲକ୍ଷ ୫୮ ହଜାର ୨୦୦ କୋଟି ଟଙ୍କାରେ ପହଁଚିଛି । ଅତିରିକ୍ତ ବଜେଟରେ ଅନେକ ନୂତନ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି ।
ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି, ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି, ପଂଚାୟତିରାଜ ସଂସ୍ଥା ମାଧ୍ୟମରେ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ୧୫୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ସକାଶେ ୧୧୦ କୋଟି ଟଙ୍କା, ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏତଦ୍ବ୍ୟତୀତ ସହରୀ ଭିତିଭୂମି ବିକାଶ ପାଣ୍ଠି ପାଇଁ ୧୦୦ କୋଟି, ଗ୍ରାମ ପଂଚାୟତକୁ ସୂଚନା ପ୍ରଯୁକ୍ତି ବିଦ୍ୟା ସଂଯୋଗୀକରଣ ପାଇଁ ୨୫୨ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ପୁଲିସ ବ୍ୟବସ୍ଥା ସହ ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏସସିଏସଟି ବିଭାଗର ଅଣ ଆବାସିକ ଗୃହର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ମଧ୍ୟ ୧୫୦ କୋଟି ଟଙ୍କା ଦିଆଯାଇଛି । ଫସଲ ଉତ୍ପାଦନ ପରିଚାଳନା ନିମନ୍ତେ ୨୨୩ କୋଟି, ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୨୫୩ କୋଟି, ଖାଦ୍ୟ ସଂରକ୍ଷଣ ଓ ଗୋଦାମ ପାଇଁ ୪୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଜଳସେଚନ ସକାଶେ ୪୪୧ କୋଟି, ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ନିମନ୍ତେ ୧୦୦ କୋଟି ଓ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୭୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହାଛଡ଼ା ମହିଳା ଏସଏଚଜି ଏବଂ ବ୍ଳକସ୍ତରୀୟ ମିଶନ ଶକ୍ତି ଫେଡେ଼ରେସନକୁ ସହାୟତା ନିମନ୍ତେ ୭୦୦ କୋଟି ଓ ମିଶନ ଶକ୍ତି ଅଧିନରେ ଦକ୍ଷତା ନିର୍ମାଣ ପାଇଁ ୮୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ସେହିପରି ମଧୁବାବୁ ପେନସନ ଯୋଜନା ପାଇଁ ୫୦୦ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୩ କୋଟି, ଏନଏଚଏମ ପାଇଁ ୩୫୯ କୋଟିର ବ୍ୟୟବରାଦ କରାଯାଇଛି । ସ୍ୱତନ୍ତ୍ର ବିକାଶ ପରିଷଦ ସକାଶେ ୨୨୪ କୋଟି, ଏସସିଏସଟି ଉନ୍ନୟନ ପାଇଁ ଗୃହ ନିର୍ମାଣ ନିମନ୍ତେ ୩୮୫ କୋଟିର ପ୍ରାବଧାନ ହୋଇଛି । ଅଣସରକାରୀ ଉଚ୍ଚ ବିଦ୍ୟାଳୟ ନିମନ୍ତେ ୬୦୦ କୋଟି, ସମଗ୍ର ଶିକ୍ଷା ନିମନ୍ତେ ୩୮୨ କୋଟି, ବିଶ୍ୱବିଦ୍ୟାଳୟ ଓ କଲେଜର ଭିତିଭୂମି ବିକାଶ ପାଇଁ ୨୩୦ କୋଟି, ସହରାଂଚଳ ପ୍ରଶାସନର ଉନ୍ନତି ପାଇଁ ୫୮୫ କୋଟିର ବ୍ୟୟ ଅଟକଳ ହୋଇଛି । ଶିଳ୍ପ ଓ ଏମଏମଏମଇ ପାଇଁ ୩୨୦୫ କୋଟି, ଭିତିଭୂମି ବିକାଶ ନିମନ୍ତେ ୧୬୩୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ସେଥିମଧ୍ୟରେ ପ୍ରଶାସନିକ ବ୍ୟୟ ବାବଦରେ ୨୮୬୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୨୦ ହଜାର ୧୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ସକାଶେ ୪୬୬୪ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ନିମନ୍ତେ ୫୭୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ବିଭିନ୍ନ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା, ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ଆଦିକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟର ପ୍ରାବଧାନ କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଥିବା ୨୦ହଜାର ୧୦୦ କୋଟିରୁ ୩୨୨୫ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ବଳକା ଅତିରିକ୍ତ ରାଜସ୍ୱ ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ ।