ଚନ୍ଦ୍ରଶେଖରପୁର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ-ବାରଙ୍ଗ ତୃତୀୟ ରେଳ ଲାଇନ୍ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୬.୪ କିମି ବିଶିଷ୍ଟ ଏହି ରେଳ ଲାଇନ୍ରେ ଟ୍ରାକ୍ ବିଛା ଶେଷ ହୋଇଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ସିଗନାଲ୍ ସିଷ୍ଟମ ପୁନଃ ବ୍ୟବସ୍ଥିତ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବାରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଷ୍ଟେସନରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩୦ ତାରିଖରୁ ୩ୟ ଲାଇନ୍ କାର୍ଯ୍ୟକ୍ଷମ ହେବା ସହ କଟକ ଓ ଭୁବନେଶ୍ୱର ମଧ୍ୟରେ ସୃଷ୍ଟି ହେଉଥିବା ଟ୍ରେନ୍ ଜାମ ସମସ୍ୟା ଦୂରହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବତଟ ରେଳପଥର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଖୋର୍ଦ୍ଧାରୋଡ-ବାରଙ୍ଗ ରେଳ ଲାଇନ୍ର ଦୈର୍ଘ୍ୟ ୩୫ କିମି ହୋଇଥିବାବେଳେ ଏହି ରେଳ ଲାଇନ୍ କାର୍ଯ୍ୟକ୍ଷମ ହେବାପରେ ହାୱଡା-ଚେନ୍ନାଇ ମୁଖ୍ୟ ରେଳ ଲାଇନ୍ର କଟକ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ଟ୍ରେନ୍ ଚଳାଚଳରେ ଉପୁଜୁଥିବା ସମସ୍ୟା ଦୂରହେବ । ଏବେ କଟକ ଓ ଭୁବନେଶ୍ୱର ମଧ୍ୟରେ ଦୁଇ ଲାଇନ୍ରେ ଟ୍ରେନ୍ ଚଳାଚଳ ହେଉଛି । ତେବେ ତିନି ଲାଇନ୍ ରେଳ ଚଳାଚଳ ହେବା ଦ୍ୱାରା ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ମଧ୍ୟରେ ସୃଷ୍ଟି ହେଉଥିବା ଟ୍ରେନ୍ ଜାମ ସମସ୍ୟା ଦୂରହେବ ବୋଲି ଆଶା ।